ଗାଈଖାଇ ଜଳ ପ୍ରକଳ୍ପରେ ଇକୋଟୁରିଜିମର ଶିଳାନ୍ୟାସ

  • ପରିବେଶ ପର୍ଯ୍ୟଟନର ବିକାଶରେ ଅଞ୍ଚଳର ବିକାଶ ହେବ – ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ମୁଖ୍ୟତଃ ପରିବେଶ ପର୍ଯ୍ୟଟନର ଯଥେଷ୍ଟ ସୁବିଧା ରହିଛି । ଏହାର ବିକାଶରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ଭିଡ ଜମିବ ଓ ଲୋକଙ୍କ ଅର୍ଥନୈତିକ ଉନ୍ନତି ହେବ । ତେଣୁ ଆଜି ଆଗଲପୁର ବ୍ଲକର ସାଲେଭଟା ନିକଟରେ ଜାତୀୟ ରାଜପଥ-୨୬ କଡରେ ଥିବା ଗାଈଖାଇ ଜଳସେଚନ ପ୍ରକଳ୍ପରେ ଇକୋଟୁରିଜିମର ଶୁଭାରମ୍ଭ କରାଯାଇଛି । ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଇକୋଟୁରିଜିମର କାମ ଆରମ୍ଭ ପାଇଁ ଶିଳାନ୍ୟାସ କରିଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ ଅନେକ ପ୍ରାକୃତିକ ପରିବେଶ ଭରା ସୁନ୍ଦର ଜାଗା ରହିଛି । ସେହି ସ୍ଥାନମାନଙ୍କୁ ଇକୋଟୁରିଜିମରେ ସାମିଲ କରାଇ ବିକାଶ କଲେ ଅଞ୍ଚଳର ବିକାଶ ହୋଇପାରିବ । ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆମଝରନ ଓ ପଥରଗଡକୁ ମଧ୍ୟ ଇକୋଟୁରିଜିମରେ ସାମିଲ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ବିଧାୟକ ଡ. ମହାଲିଙ୍ଗ କହିଥିଲେ ।

ଲୋଇସିଂହା ରେଞ୍ଜ ଅଫିସର ପାଉଲ ହର୍‌ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମହାଲିଙ୍ଗ ଓ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଡିଏଫଓ ନୀତିଶ କୁମାର, ଏସିଏଫ ଯଶୋବନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବନ ବିଭାଗ ତରଫରୁ ୭୩ ଲକ୍ଷ ଟଙ୍କାରେ ଏହି ଇକୋଟୁରିଜିମ ଆରମ୍ଭ କରାଯାଇଛି । ବର୍ତ୍ତମାନ ଗାଈଖାଇ ଜଳ ପ୍ରକଳ୍ପରେ ବୋଟିଂ ସୁବିଧା କରାଯିବ । ଏଠାରେ ଥିବା ଆଇବିକୁ ମରାମତି କରାଯିବା ସହିତ ଏକ ପାର୍କ ନିର୍ମାଣ କରାଯିବ । ପାର୍କ ପାଖରେ ଥିବା ୱାଚଟାୱାରରୁ ପର୍ଯ୍ୟଟକମାନେ ପ୍ରକଳ୍ପର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ତଳେ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟର ମଜା ନେଇପାରିବେ । ଚଳିତବର୍ଷର ବଜେଟରେ ଇକୋଟୁରିଜିମ ଉନ୍ନତିକରଣ ପାଇଁ ୭୩ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ବେଳେ ଏମସିଏଲ ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛି । ମୋଟ ୧ କୋଟି ୨୩ ଲକ୍ଷ ଟଙ୍କାରେ ବୋଟିଂ, ପାର୍କ, ରେଷ୍ଟୁରାଣ୍ଟ, ଆଲୋକିକରଣ ବ୍ୟବସ୍ଥା କରାଯିବ ବୋଲି ଡିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି । ପ୍ରକାଶ ଯେ, ବଲାଙ୍ଗିର ଜିଲ୍ଲାରେ ପୂର୍ବରୁ ଭୀମଡୁଙ୍ଗୁରି, ଟିଟିଲାଗଡର ଦେବନ୍ଧରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂର ସୁବିଧା ରହିଛି । ଭୀମଡୁଙ୍ଗୁରିର ପାଦଦେଶରେ ଥିôବା ଭୀମକଟାରେ ପ୍ରାୟ ୧୨ଟି ବୋଟ ଲାଗିଛି । ପ୍ରତିଦିନ ଶହଶହ ପର୍ଯ୍ୟଟକ ଏଠାକୁ ଆସି ବୋଟିଂର ମଜା ନେଉଛନ୍ତି । ଏବେ ଗାଈଖାଇରେ ବୋଟିଂ ସୁବିଧା ହେଲେ ପର୍ଯ୍ୟଟକଙ୍କୁ ଆହୁରି ସୁବିଧା ହେବ । ଗାଈଖାଇରେ ସ୍ପିଡମୋଟର ବୋଟ, ଟ୍ରାଇସାଇକେଲ ବୋଟ ଓ ପେଡାଲ ବୋଟ ଉପଲବ୍ଧ ହେବ । ବରଗଡ-ବୋରିଗୁମା ଜାତୀୟ ରାଜପଥ-୨୬ରୁ ମାତ୍ର ଅଳ୍ପ ଦୂରରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଙ୍ଗଲ ଭିତରେ ବିରାଟ ଅଞ୍ଚଳରେ ରହିଥିବା ଗାଈଖାଇ ଜଳ ପ୍ରକଳ୍ପର ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଜାତୀୟ ରାଜପଥ କଡରେ ରହିଥିବାରୁ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.