ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ଏବଂ ଆଇ.ଏମ୍.ଏସ୍. ସମ୍ ହସ୍ପିଟାଲ (ଶୀତଳପଲ୍ଲୀ), ବ୍ରହ୍ମପୁର ସୌଜନ୍ୟରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟସେବା ଶିବିର ଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଶନିବାର ଆୟୋଜିତ ହୋଇଯାଇଛି । ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଓ ଗଞ୍ଜାମ ସହର ସ୍ଥିତ ଗ୍ରାସୀମ୍ ଇଣ୍ଡଷ୍ଟ୍ରିର ମଧ୍ୟ ମିଳିତ ସୌଜନ୍ୟତା ସହ ସକ୍ରୀୟ ସହଯୋଗ ଯୋଗୁଁ ଏହି ସ୍ଵାସ୍ଥ୍ୟସେବା ଶିବିର ସାଫଲ୍ୟ ହୋଇପାରିଛି । ସୂଚନାଯୋଗ୍ୟ ଯେ’ ଚଳିତ ବର୍ଷ ଛତ୍ରପୁର ମିନି-ଷ୍ଟାଡିୟମରେ ଫେବୃଆରୀ ୨ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହେଉଥିବା ନେଇ ଛତ୍ରପୁର ପ୍ରେସ କ୍ଲବର ବାର୍ଷିକ ଉତ୍ସବ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଶନିବାର ଏକ ଗୋଷ୍ଠୀଗତ ସାମାଜିକ ସେବାର ଆୟୋଜନ ହୋଇଥିଲା । ଏହି ଶିବିରକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଗ୍ରାସୀମ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଲୋକ ସମ୍ପର୍କ ଅଧିକାରୀ ସୁସ୍ମିତା ବେହେରା ଆଇ.ଆର.ଇ ଏଲ୍. (ଇଣ୍ଡିଆ) ଲିମିଟେଡ଼ର ସି.ଏସ୍.ଆର୍ ସିନିୟର୍ ମ୍ୟାନେଜର ଦୀପକ କୁମାର ମିଶ୍ର ସମ୍-ହସ୍ପିଟାଲର ବିଭିନ୍ନ ବିଭାଗର ଦକ୍ଷ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ବର୍ଗର ରୋଗୀମାନଙ୍କୁ ପରୀକ୍ଷା, ନିରୀକ୍ଷା କରି ମାଗଣାରେ ଔଷଧ ବିତରଣ କରିଥିଲେ । ଏହି ଶିବିରରେ ସ୍ନାୟୁ, ସର୍ଜରୀ, ଅର୍ଥୋପେଡିକ, ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ପ୍ରସୂତି ଚିକିତ୍ସା, ଦାନ୍ତ, ଇ.ଏନ୍.ଟି., ମେଡିସିନ, ମଧୁମେହ, ମାନସିକ, ଶିଶୁରୋଗ, ଚକ୍ଷୁ ବିଭାଗ ଆଦିରେ ରୋଗୀ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ସମ୍-ହସ୍ପିଟାଲର ସେବିକା ସଂଯୋଜିକା ଅର୍ଚ୍ଚନା ତ୍ରିପାଠୀ ଏହି କ୍ୟାମ୍ପକୁ ସୁପରିଚାଳନା କରିଥିଲେ । ଏହି ଶିବିରକୁ ଛତ୍ରପୁର ଓ ଆଖପାଖ ଅଞ୍ଚଳର ୪ ଶହରୁ ଅଧିକ ରୋଗୀ ଆସି ମାଗଣା ସ୍ୱାସ୍ଥ୍ୟ ସେବା ନେବା ସହ ଉତ୍ତମ ଚିକିତ୍ସା ଓ ମାଗଣା ଔଷଧ ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ଛତ୍ରପୁର ପ୍ରେସ କ୍ଲବର ଏଭଳି ନିଆରା ପ୍ରୟାସ ପାଇଁ କ୍ଲବର ସମସ୍ତ ମେମ୍ବରଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି । ପୂର୍ବରୁ ଛତ୍ରପୁର ପ୍ରେସ କ୍ଲବ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଆସିଛି । ଦୁଇ ଦୁଇଥର ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହାସହ ହସ୍ପିଟାଲର ସମସ୍ତ ଡାକ୍ତରୀ ଟିମ୍ ଓ ମେଡ଼ିସିନ ବିଭାଗର କର୍ମକର୍ତ୍ତା ମାନଙ୍କୁ ରୋଗୀ ଓ ରୋଗୀଙ୍କ ପରିବାର ଧନ୍ୟବାଦ୍ ଦେଇଛନ୍ତି । ସମ୍ ହସପିଟାଲ ଶୀତଳାପଲ୍ଲୀର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ, ବରିଷ୍ଠ ଡ଼ାକ୍ତର ଅଯୋଧ୍ୟା ପାଢ଼ୀ, ଡାକ୍ତର ରଞ୍ଜିତ ପାତ୍ର, ଡାକ୍ତର ବିଶ୍ୱଜିତ ସାମଲ, ଡାକ୍ତର ଅମର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରକୁ ଛତ୍ରପୁର ପ୍ରେସ କ୍ଲବର ସଭାପତି ରବିନ୍ଦ୍ରନାଥ ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ପାଢୀ, ଉପ-ସଭାପତି ସନ୍ତୋଷ ମିଶ୍ର, କୋଷାଧ୍ୟକ୍ଷ କେ.ସତ୍ୟନାରାୟଣ ରେଡ୍ଡୀ, ଉପଦେଷ୍ଟା ରବିନ୍ଦ୍ରକୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ବସନ୍ତ ମହାରଣା, କ୍ଷିରୋଦ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ ମହାରଣା, ଯୁଗ୍ମ ସମ୍ପାଦକ ଦେବବ୍ରତ ପଣ୍ଡା, ସୁଧିର ନାହାକ, ବିସ୍ମୟ ପ୍ରଧାନ, ସରୋଜ ସାମଲ, ଅଜିତ୍ ସ୍ୱାଇଁ, ଦିଲ୍ଲୀପ ସାମଲ, ବିରେନ୍ ରାଉଳ, ସନ୍ତୋଷ ସାହୁ, କେ. ରମେଶ, ସନ୍ତୋଷ କୁମାର ସାହୁ, ଗୌରପ୍ରସାଦ ମହାପାତ୍ର, ଅଶୋକ ବେହେରାଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟଗଣ ଉପସ୍ଥିତ ରହି ସକ୍ରୀୟ ପରିଚାଳନା କରିଥିଲେ ।