ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅପ୍ରିଲ ୭ ତାରିଖରେ ବିଶ୍ୱସ୍ୱାସ୍ଥ୍ୟ ଦିବସ ତଥା ଅପ୍ରିଲ ୧୦ ତାରିଖରେ ହୋମିଓପ୍ୟାଥିକ ଦିବସ ସର୍ବତ୍ର ପାଳନ କରାଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରବଳ ଗ୍ରୀଷ୍ମପ୍ରବାହ, ଅଂଶୁଘାତ ମୁକାବିଲା ସମୟରେ ଅଣସଂକ୍ରମିତ ରୋଗରୁ କିପରି ସମସ୍ତେ ନିଜକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ନେଇ ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଛତ୍ରପୁର ରୋଟାରୀ କ୍ଲବ ତରଫରୁ ଆୟୋଜିତ ଏବଂ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ସୂଚନା ଯୋଗ୍ୟ ଯେ, ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୨ ଘଟିକା ପର୍ଯ୍ୟନ୍ତ ଚାଲିଥିବା ବଉଳଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରୋଗୀ ଯୋଗଦେଇ ଏହି ଶିବିର ଦ୍ଵାରା ଉପକୃତ ହୋଇଥିଲେ । ଶିବିରରେ ଡାକ୍ତରୀ ଦଳର ନେତୃତ୍ୱ ନେଇଥିବା ଡ଼ଃ. ସିଦ୍ଧାର୍ଥ ଶତପଥୀ ଓ ଲ୍ୟାବ ଟେକ୍ନିସିଆନ ସୁଚିସ୍ମିତା ସାହୁଙ୍କ ତତ୍ୱାବଧାନରେ ଆସିଥିବା ଡାକ୍ତରୀ ଦଳ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଅଂଶୁଘାତ, ଯକ୍ଷ୍ମା, ମଧୁମେୟ, ଥାଇରଏଡ଼ ତଥା ଗଣ୍ଠି ଯନ୍ତ୍ରଣା ଭଳି ଅନେକ ରୋଗରୁ କିପରି ହୋମିଓପ୍ୟାଥି ଔଷଧ ସେବନ ଦ୍ୱାରା ମୁକ୍ତି ମିଳିପାରିବ ସେନେଇ ସମସ୍ତଙ୍କୁ ସଚେତନ କରିଥିଲେ ଓ ମାଗଣା ଔଷଧ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହାୟତାର ହାତ ବଢାଇଥିଲେ ଛତ୍ରପୁର ରୋଟାରୀ କ୍ଲବର ପୂର୍ବତନ ସଭାପତି ନିରଞ୍ଜନ ପାତ୍ର, ସମ୍ପାଦକ ଡମ୍ବୁରୁଧର ସାହୁ, ରୋଟାରୀ କ୍ଲବ୍ ଉପ-ସଭାପତି ଡ଼ଃ. ଅଜୟ କୁମାର ତ୍ରିପାଠୀ, ଗଜପତି ଜିଲ୍ଲା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଓକିଲ ସୁରଜିତ ସାମନ୍ତରାୟ, ବିମଳ ପ୍ରସାଦ ସାହୁ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଭ୍ରମରବର ଦାସ, ସମାଜସେବୀ ମନୋଜ ମିଶ୍ର, ଓକିଲ ଲସିତ ବରଣ ବେହେରା, ଦିନେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ପ୍ରକାଶ ଥାଉକି, ଆଗକୁ ମଧ୍ୟ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ନଜରରେ ରଖି ଏଭଳି ସ୍ୱାସ୍ଥ୍ୟ ସେବା ଶିବିର ଛତ୍ରପୁର ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ କରାଯିବ ବୋଲି ରୋଟାରିଆନ୍ ନିରଞ୍ଜନ ପାତ୍ର ସୂଚନା ଦେଇଛନ୍ତି । ସଭିଁଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
Prev Post