ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ସମଲେଇଚୂଆଁରେ ବ୍ଲକସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲୋକନାଥ ମେହେର ସଭାପତିତ୍ୱ କରିଥିଲେ । ଉଦଘାଟନୀ ଉତ୍ସବରେ ସମଲେଇଚୂଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଭୁଦତ୍ତ ରାଜହଂସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧା, ବିଦ୍ୟାଳୟର ଆଲୁମିନି କମିଟି ସଭାପତି ରାଧାକାନ୍ତ ଗଡ଼ତିଆ, ସୁବର୍ଣ୍ଣପୁର ଜିଲ୍ଲା ପୂର୍ବତନ ରେଡ଼କ୍ରସ ଅଫିସର ସୁରେଶ ପଧାନ, ସୁବର୍ଣ୍ଣପୁର ଜିଲ୍ଲା ବର୍ତ୍ତମାନ ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିଲେ । ସାଧନ କର୍ମୀ ହୃଷିକେଶ ଡାଙ୍ଗ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଡୁଙ୍ଗୁରିପାଲି ବ୍ଲକ ବି.ସି.ସି ନିମାଇଁ ଚରଣ ମଲ୍ଲିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସ୍ଥାନୀୟ ବିଦ୍ୟାଳୟର କାଉନସିଲର ଆଲୋକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ୪୧ଟି ବିଦ୍ୟାଳୟରୁ ସମସ୍ତ ରେଡ଼କ୍ରସ କାଉନସିଲର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାଧନକର୍ମୀ ହୃଷିକେଶ ଡାଙ୍ଗ, ତପସ୍ୱିନୀ ଦାସ, ନିମାଇଁ ଚରଣ ମଲ୍ଲିକ ଓ ଅନୁପ୍ରିୟା ମିଶ୍ର ରେଡ଼କ୍ରସ ଅଭିଯାନ, ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଓ ସମସ୍ୟା ଉପରେ ଏକ ଖୋଲା ପ୍ରଶ୍ନ ମଞ୍ଚର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତ ୬ଟି ବି.ସି.ସି ମାନଙ୍କୁ ଡୁଙ୍ଗୁରିପାଲି ବ୍ଲକ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।
Prev Post