ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୫ ସମ୍ପର୍କିତ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରକଳ୍ପ ସଂଯୋଜକ ଦେବବ୍ରତ ମହନ୍ତ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପୋଷଣ ମାସ ପାଳନ କରାଯାଉଥିବା ପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଶ୍ରୀମତୀ ବେହେରା କହିଥିଲେ ଯେ, ପୁଷ୍ଟି, ସ୍ୱାସ୍ଥ୍ୟ ଓ ଶିକ୍ଷା ଅଙ୍ଗାଙ୍ଗୀ ଭାବେ ଜଡିତ । ଶିଶୁ ଜନ୍ମ ପରେ ମା’ କ୍ଷୀର ହେଉଛି ତାର ପୋଷଣ । ଶିଶୁଟି ସୁସ୍ଥ ପୋଷଣରେ ସୁସ୍ଥ ଶରୀର ଓ ସୁସ୍ଥ ଶିକ୍ଷା ପାଇ ପାରିବ । ଖାଦ୍ୟରେ ଚିନି, ଲୁଣ ଓ ତେଲର ବ୍ୟବହାର କମ୍ କଲେ ମେଦ ବହୁଳତାରୁ ରକ୍ଷା ପାଇପାରିବା । ନବଜାତ ଶିଶୁର ଉତ୍ତମ ପୋଷଣ ଉପରେ ଗୁରୁତ୍ୱ ଦେଲେ ଶିଶୁଟି ଉତ୍ତମ ପୁଷ୍ଟି ପାଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ଯୋଗଦେଇ କହିଥିଲେ ଯେ, ପୁଷ୍ଟିସାର ଅଭାବ ହେଲେ ଶିଶୁମାନଙ୍କର ଶାରିରୀକ ଓ ବୌଦ୍ଧିକ ବିକାଶ ହେବ ନାହିଁ । ଏଣୁ ରାଜ୍ୟ ସରକାର ପୋଷଣ ମାସ ପାଳନ କରି ସଚେତନତା ସୃଷ୍ଟି କରୁଛନ୍ତି । ମାଆ ମାନେ ଗର୍ଭବତୀ ସମୟରେ ସଚେତନ ହେବା ଉଚିତ୍ । ଖାଇବା ଥାଳିରେ ମିଲେଟ୍ ବ୍ୟବହାର କରିବା ଉଚିତ୍ । ସୁସ୍ଥ ଶିଶୁ ହେଉଛନ୍ତି ଭବିଷ୍ୟତର ନାଗରିକ । ପୋଷଣ ଉପରେ ସଚେତନତା ସୃଷ୍ଟି ପାଇଁ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରାଯାଉଛି । ମିଲେ୍ଟ ମିଶନ୍ କାର୍ଯ୍ୟକ୍ରମ ଜରିଆରେ ମାଣ୍ଡିଆର ବ୍ୟବହାରକୁ ବ୍ୟାପକ କରିବା ଉଚିତ୍, ମାଣ୍ଡିଆରେ ପ୍ରଚୁର ପରିମାଣରେ ଲୌହସାର ରହିଛି । ଗଞ୍ଜାମ ଜିଲ୍ଲାରୁ ହିଁ ମିଲେଟ୍ ମିଶନର ଆରମ୍ଭ ହୋଇଥିବା କଥା କହି ଅଙ୍ଗନୱାଡି କର୍ମୀମାନେ କୋଭିଡ୍ ସମୟରେ କରିଥିବା ସାହାସିକ କାର୍ଯ୍ୟକୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ୱରୀ ଦୋରା ଭୂୟସୀ ପ୍ରଶଂସା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅଧ୍ୟକ୍ଷତା କରି କହିଥିଲେ ଯେ, ୨୦୨୧ ମସିହାରୁ ପୋଷଣ ଅଭିଯାନ ଚାଲୁ କରାଯାଇଛି । ଶିଶୁଙ୍କୁ ଉପଯୁକ୍ତ ପୋଷଣ ଓ ଶିକ୍ଷା ପ୍ରଦାନ କରିବା ଦ୍ୱାରା ଉତ୍ତମ ନାଗରିକ ହୋଇପାରିବେ । ଗର୍ଭବତୀ ଥିବା ସମୟରେ ମାଆ ମାନଙ୍କୁ ଏଥିପ୍ରତି ସଚେତନ କରିବା ସହ ଶିଶୁକୁ ତୃଣମୂଳ ସ୍ତରରେ ସଶକ୍ତିକରଣ କରାଯିବା ଉଚିତ୍ । ସୁସ୍ଥ ସମାଜ ଗଠନ ନିମନ୍ତେ ପୋଷଣ କାର୍ଯ୍ୟକ୍ରମ ଉପରେ ସମସ୍ତେ ସଚେତନ ହେବା ଉଚିତ୍ । ଶିଶୁଟିଏ ଜନ୍ମ ହେଲେ ଅଙ୍ଗନୱାଡି କର୍ମୀ ତାଙ୍କ ବାପା ମାଆଙ୍କୁ ପାଞ୍ଚଟି ଚାରା ଗଛ ଲଗାଇବା ପାଇଁ ଦିଆଯାଉଥିବା ଶ୍ରୀ ପୃଷ୍ଟି ପ୍ରକାଶ କରିଥିଲେ । ମା’ କେ-ନାମ୍ ପର ଏକ ପେଡ୍ କାର୍ଯ୍ୟକ୍ରମରେ ଏକ ଲକ୍ଷ ପଞ୍ଚସ୍ତରୀ ହଜାର ଚାରା ବଣ୍ଟନ କରାଯାଇଥିବା କହିଥିଲେ । ଜିଲ୍ଲା କୃଷି ଅଧିକାରୀ ଡ. ଅଜୟ କୁମାର କର ମାଣ୍ଡିଆ ଚାଷ ଓ ଏଥିରୁ କିପରି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଇ ପାରିବ ତାହା ବୁଝାଇ ଥିଲେ । ପ୍ରଚୁର ଫଳମୂଳ ଓ ପନିପରିବା ପାଇଁ ବଜାର ଉପରେ ନିର୍ଭର ନକରି ନିଜ ବଗିଚାରେ ଜୈବିକ ସାର ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ । ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଏ. ଜେନା କହିଥିଲେ ଯେ, ଜଳବାୟୁର ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଯୋଗୁଁ ଖାଦ୍ୟ ବିଷାକ୍ତ ହେବାରେ ଲାଗିଛି । ଲେମ୍ବ, ସଜନାଶାଗ, ଛୁଇଁ, ଅମୃତ ଭଣ୍ଡା, କଞ୍ଚାକଦଳୀ ଆଦିରୁ ମଧ୍ୟ ପୋଷଣ ପାଇ ପାରିବା । ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ରକୁ ୫ଟି ଲେଖାଏଁ ଚାରା ଗଛ ଯୋଗାଇ ଦେବେ ଓ ଏଗୁଡିକରେ ରାସାୟନିକ ସାର ବଦଳରେ ଜୈବିକ ଖତ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ. ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ କହିଥିଲେ ଯେ, ବିକଶିତ ଓ ସଶକ୍ତ ଭାରତ ଗଠନରେ ପୋଷଣର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ, ଶିକ୍ଷା ଓ ପୋଷଣ ପରସ୍ପର ପରିପୂରକ । ଶରୀର ଦରକାର କରୁଥିବା ଉପଯୁକ୍ତ ଉପାଦାନ ଖାଦ୍ୟରୁ ପାଇ ପାରିଲେ କୁପୋଷଣ ହେବନାହିଁ । ଜଙ୍କ ଫୁଡ୍ ସମସ୍ତେ ପ୍ରତିହତ କରିବା ଉଚିତ୍ । କୁପୋଷଣ ଏକ ସାମାଜିକ ସମସ୍ୟା ଭାବେ ଦେଖାଯାଇଛି । ଛୁଆମାନଙ୍କୁ ଖୁଆଇବା ସମୟରେ ମୋବାଇଲ୍ ଠାରୁ ଦୂରେଇ ରଖିବା ଉଚିତ୍ । ଗର୍ଭବତୀ ମହିଳା ନିଜର ଉପଯୁକ୍ତ ଯତ୍ନ ନେଲେ ପୋଷଣର ଅଭାବ ହେବନାହିଁ । ଆନିମିଆ, ତରଳ ଝାଡାର ଉପଚାର, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରିଥିଲେ । ପୋଷଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବାରୁ ସାନଖେମୁଣ୍ଡି ସିଡିପିଓ ଭବାନୀ ବେହେରା, ବ୍ଲକ୍ କୋ-ଅର୍ଡିନେଟର୍ ଶିବ ଶଙ୍କର ଆଚାର୍ଯ୍ୟ, ଦୀପୁ ପ୍ରଧାନ ବେଗୁନିଆପଡା ବ୍ଲକ୍, ମାନସ ରଞ୍ଜନ ଦାଶ ବେଲଗୁଣ୍ଠା ବ୍ଲକ୍, ସୁନୀତା ଜେନା ଜଗନ୍ନାଥ ପ୍ରସାଦ ବ୍ଲକ୍, ଗୋପାଳ କୃଷ୍ଣ ପଟ୍ଟନାୟକ ଛତ୍ରପୁର ବ୍ଲକ୍, ବ୍ରହ୍ମପୁର ଲେଡି ସୁପରଭାଇଜର୍ ସବିତା ଜେନା ଓ ଆସ୍କା ଲେଡି ସୁପରଭାଇଜର୍ କୁମାରୀ ଦୀପ୍ତିଙ୍କୁ ପ୍ରମାଣ ପତ୍ର, ଉପଢୌକନ ସହ ସମ୍ମାନିତ କରାଯାଇଥିଲା । ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସମସ୍ତ ସିଡିପିଓ, ମହିଳା ସୁପରଭାଇଜର୍, ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର କର୍ମକର୍ତ୍ତାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।