ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ସରକାର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଉଛନ୍ତି । କିନ୍ତୁ ମନରେଗା କାର୍ଯ୍ୟରେ ଦୁର୍ନୀତି କରି ଶ୍ରମିକମାନଙ୍କ ଅର୍ଥ ଖାଇଯାଇଥିବା ଅଭିଯୋଗରେ ବେଲପଡା ବ୍ଲକ ଅନ୍ତର୍ଗତ ଖଲଖଲି ଗ୍ରାମର ଶ୍ରମିକମାନେ ଆଜି ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଖଲଖଲି ଗ୍ରାମ ସ୍ଥିତ ଖଲିଆ ବନ୍ଧର ଉନ୍ନତିକରଣ ପାଇଁ ସରପଞ୍ଚ ପାଣ୍ଠିରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର କାମ କରାଯାଇଥିଲା । ଉକ୍ତ କାମରେ ନାବାଳକ ସମେତ ମାତ୍ର ଦୁଇରୁ ତିନି ଜଣ ଶ୍ରମିକ ଲଗାଇ କାମ ସମାପ୍ତ କରି ଦିଆଯାଇଛି । କିନ୍ତୁ ୬୦ ରୁ ୭୦ ଜଣଙ୍କ ନାମ ଦେଖାଇ ଟଙ୍କା ଡିମାଣ୍ଡ କରାଯାଇଛି । ସେହିପରି ଗ୍ରାମକୁ ଆସୁଥିବା ମନରେଗା କାମ ଗୁଡିକରେ ଶ୍ରମିକମାନଙ୍କୁ ନିୟୋଜିତ କରି ଶ୍ରମିକମାନଙ୍କ ହକ୍ର ପଇସା ହରି ଲୁଟ କରାଯାଇଛି । ଖଲଖଲି ଗ୍ରମର ଗାଁ ସାଥୀ ଅଲ୍ଲୀ ମହାକୁର ଏଭଳି ବିଭିନ୍ନ ଦୁର୍ନୀତି କରି ସବୁ ଟଙ୍କା ନିଜ ବ୍ୟଙ୍କ ଖାତାରେ ଜମା କରୁଥିବା ଗ୍ରାମର ଶ୍ରମିକମାନେ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣା ଉପରେ ବାରମ୍ବାର ବିଭିନ୍ନ କତ୍ତୃପର୍କ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏଯାଏଁ କୌଣସି ସୁଫଳ ମିଳି ନଥିବା ଉକ୍ତ ଶ୍ରମିକମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି ।