ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ୍ କଟାବାହାଲ୍ ଗ୍ରାମ ପଞ୍ଚାୟତର ପରମାନନ୍ଦପୁର (ନୂଆଁ ଗାଁ)ରେ ଜଣେ ବୃଦ୍ଧ ସନ୍ନ୍ୟାସୀ ରହୁଥିଲେ । ଆଜି ମଙ୍ଗଳବାର ଦିନ ସକାଳୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ସଂପର୍କୀୟମାନେ କେହି ନ ଥିଲେ । ହେଲେ ଗ୍ରାମାଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ଜାତିପ୍ରାଥ ସମସ୍ୟା ଯୋଗୁଁ ବୃଦ୍ଧ ସନ୍ୟାସୀଙ୍କ ଶବ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥିଲା । ପରେ କଟାବାହାଲ୍ ଗ୍ରାମ ସରପଞ୍ଚଙ୍କ ସ୍ୱାମୀ ସ୍ୱେଚ୍ଛାସେବୀ ସୁଶାନ୍ତ ପଣ୍ଡା ବରଗଡ଼ ‘ସଂକଳ୍ପ’ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ଖବର ପାଇବା ପରେ ‘ସଂକଲ୍ପ’ ପରିବାର ଗାଇସିଲେଟ ସଦସ୍ୟ ରତିକାନ୍ତ ପଧାନଙ୍କ ନେତୃତ୍ୱରେ ସମାଜସେବୀ ସୁଶାନ୍ତ ପଣ୍ଡା, ରତିକାନ୍ତ ପଧାନ, ଅଚ୍ୟୁତାନନ୍ଦ ସାହୁ, ସୁରେନ ସାହୁ, ହଳନ କାନାସି, ଗ୍ରାମର ଦୀନବନ୍ଧୁ ସାହୁ ଓ ପଶ୍ଚିମ ଓଡିଶା ଯୁବ ମଞ୍ଚର ହରିଶ୍ କୁମାର ସାହୁ ଆସି ସମସ୍ତେ ମିଶି ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ନିଜ କାନ୍ଧରେ ଶବ ବୋହିନେଇ ସ୍ଥାନୀୟ ଶ୍ମଶାନରେ ସସମ୍ମାନେ ଶବ ସତ୍କାର କରିଥିଲେ । ‘ସଂକଳ୍ପ’ ପରିବାରର ସଦସ୍ୟ ରତିକାନ୍ତ ପ୍ରଧାନ ମୁଖାଗ୍ନି ଦେଇଥିବା ବେଳେ ଉକ୍ତ ଶବ ସତ୍କାରରେ ପରମାନନ୍ଦପୁର ଗ୍ରାମବାସୀ ମଧ୍ୟ ବହୁତ୍ ସହଯୋଗ କରିଥିଲେ ।
Prev Post