ବ୍ରହ୍ମପୁର, (କେପିଏନ୍ଏସ୍) : ବ୍ରହ୍ମପୁର ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ସୋମବାର ଓଡ଼ିଆ ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳନ ସହ ନବୀନ ୱେବ୍ ଚେନାଲ ଓ କ୍ୟାଲେଣ୍ଡର ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସାରସ୍ୱତ ସମାବେଶରେ ନବୀନର ସମ୍ପାଦକ ରବି ରଥ ସ୍ୱାଗତ ଭାଷଣ ଦେବା ସହ ପୂଜ୍ୟପୂଜା ପରମ୍ପରାକୁ ନବୀନ ଅନୁଷ୍ଠାନ ସବୁବେଳେ ଗୁରୁତ୍ୱ ଦେଇଆସିଛି ବୋଲି କହିଥିଲେ । ଏଥିରେ ମୁଖ୍ୟଅତିଥି ରୂପେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ଅତିଥି ରୂପେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ମୁଖ୍ୟବକ୍ତା ରୂପେ ସାହିତ୍ୟିକ ଇଂ. ଯାମିନୀକାନ୍ତ ଦାସ ପ୍ରମୁଖ ଯୋଗଦେଇ ଶଶିଭୂଷଣ ରଥ ସମ୍ବାଦପତ୍ର ଜଗତର ଉଜ୍ୱଳତମ ନକ୍ଷତ୍ର ଥିଲେ ବୋଲି ପ୍ରକାଶ କରିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶଶିଭୂଷଣଙ୍କ ଅବଦାନକୁ ଓଡ଼ିଆ ଜାତି ସବୁଦିନ ପାଇଁ ମନେ ରଖିଥିବ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନେ ନବୀନର ବାର୍ଷିକ କ୍ୟାଲେଣ୍ଡର-୨୦୨୪ ଓ ନବୀନ ୱେବ୍ ଚେନାଲ ଲୋକାର୍ପଣ ସହ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ବସୁଦୁର୍ଗ ବସୁନ୍ଧରାର ବିଦୁଷୀ ବଧୂ ଶନ୍ନୋଦେବୀ’, କବି ପ୍ରମୋଦ କୁମାର ପଣ୍ଡାଙ୍କ ରଚିତ ‘ଟୁନାଶ୍ରୀ ଉବାଚ’ ଓ ଶିଶୁ ସାହିତ୍ୟିକ ରଞ୍ଜନ କୁମାର ବ୍ରହ୍ମାଙ୍କ ରଚିତ ‘ଫୁଲ ଥାଳିଆ’ ପୁସ୍ତକକୁ ଉନ୍ମୋଚନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ନବବର୍ଷ କବିତା ପାଠୋତ୍ସବରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଏଥିରେ ଅତିଥି ରୂପେ ପ୍ରଫେସର ଡ଼ମ୍ବରୁଧର ସାହୁ, ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତ ହରିହର ଦାସ, କବି ପ୍ରମୋଦ କୁମାର ପଣ୍ଡା, ସମାଜସେବୀ ବଂଶୀଧର ନାହାକ ଓ ରାମକୃଷ୍ଣ ପାତ୍ର, ମଞ୍ଜୁ ରଥ ପ୍ରମୁଖ ମଞ୍ଚାସୀନ ଥିଲେ । କବି ରଂଜନ କୁମାର ବ୍ରହ୍ମାଙ୍କ ସଂଯୋଜନାରେ ଶତାଧିକ କବି-କବୟିତ୍ରୀ ସ୍ୱରଚିତ ନବବର୍ଷ ଶୀର୍ଷକ କବିତା ପାଠ କରିଥିଲେ । ଶେଷରେ ସାମ୍ବାଦିକା ବିଷ୍ଣୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ, ମାନସ ରଂଜନ ତ୍ରିପାଠୀ, ମଧୁସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Prev Post