ଦୁଆନପାଲି ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା : ପୁଣି ଧାରଣାରେ ବସିଲେ ହିତାଧିକାରୀ, ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ପରିବାର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଆନପାଲି ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣାକୁ ନେଇ ହିତାଧିକାରୀ ପୁଣି ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ସେମାନଙ୍କୁ ଅବଶ୍ୟକୀୟ ସୁବିଧା ଯୋଗଇ ଦେବାରେ ପ୍ରଶାସନ ଫେଲ ମାରିଥିବା ବେଳେ ଯଥାଶୀଘ୍ର ଉଚିତ ନ୍ୟାୟ ନ ପାଇଲେ ସପରିବାର ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ବଲାଙ୍ଗିର କୁଟୁମଡୋଲା ଅନ୍ତର୍ଗତ ଦୁଆନପାଲି ଗ୍ରାମର ଗଙ୍ଗାଧର ସିଂହଙ୍କ ପ୍ରଧାନମନ୍ତ୍ରୀ ଆବାସକୁ ତହସିଲଦାର ଟ୍ରାକ୍ଟର ଲଗାଇ ଭାଙ୍ଗି ଦେଇଥିଲେ । ତେବେ ତାଙ୍କ ଘର ସଂଲଗ୍ନ ଅନ୍ୟ ବିଜୁ ପକ୍କା ଘରକୁ ପ୍ରଶାସନ ଭାଙ୍ଗି ନଥିବା ବେଳେ କେବଳ ତାଙ୍କ ଘରକୁ ଉଦ୍ଦେଶ୍ୟମୂଳକ ଭାବେ ତହସିଲଦାର ଓ ଅନ୍ୟମାନେ ଭାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ଗଙ୍ଗାଧର । ସେ ନେଇ ଗତ ଅଗଷ୍ଟ ମାସ ୨୩ ତାରିଖରୁ ୨୫ ତାରିଖ ଯାଏଁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଙ୍ଗାଧରଙ୍କ ପରିବାର ଧାରଣାରେ ବସିଥିଲେ । ବଲାଙ୍ଗିରର ବିଭିନ୍ନ ରାଜନୈତିକ ତଥା ସାମଜିକ ଅନୁଷ୍ଠାନ ଗଙ୍ଗାଧରଙ୍କୁ ସମର୍ଥନ କରିବା ସହ ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ତେବେ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ଗୁରେଶ୍ୱର ଭୋଇ ଗଙ୍ଗାଧରଙ୍କୁ ଷାଠିଏ ଦିନ ଭିତରେ ଚାରି ଡିସ୍ମିଲ ଜାଗା ଓ ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଙ୍ଗାଧର ସପରିବାର ଧାରଣାରୁ ଓହରି ଥିଲେ । କିନ୍ତୁ ଆଜି ଯାଏଁ ଉକ୍ତ ପରିବାରକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇ ନଥିବା ବେଳେ ଗଙ୍ଗାଧରଙ୍କ ପରିବାର ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାପାଳଙ୍କ ପ୍ରତଶ୍ରୁତି ଯଥାଶୀଘ୍ର ପୂରଣ କରା ନଗଲେ, ଏଭଳି ସ୍ଥିତିରେ ସେମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଆଜି ଗଙ୍ଗାଧର ସାମ୍ବାଦିକଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ସତ୍ୱେ କାହାର ସ୍ୱାର୍ଥରେ ଗରିବ ଅସହାୟ ଗଙ୍ଗାଧରଙ୍କୁ ନ୍ୟାୟ ପ୍ରଦାନ କରିବାରେ ପ୍ରଶାସନ ବିଫଳ ହୋଇଛି ବୋଲି ବିଭିନ୍ନ ସଂଗଠନ ପ୍ରଶ୍ନ କରିଛନ୍ତି ।