
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଞ୍ଚାୟତ ଅନ୍ତର୍ଗତ ବେଲବାହାଲି ଗାଁରେ ସପ୍ତାହ ପାରାୟଣ ଉଦ୍ଯାପିତ ହୋଇଯାଇଛି । ଏଥିରେ ବ୍ୟାସ ଭାବେ ସହଦେବ ମିଶ୍ର ଓ କର୍ତ୍ତା ଭାବେ ବାଳକୃଷ୍ଣ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଗୁରୁ ମହାରାଜ କୃଷ୍ଣ ଚିନ୍ତନ ମହାରାଜଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ଦିନ ରୁକ୍ମୁଣୀ ବିବାହ ଉପଲକ୍ଷେ ବେଲବାହାଲିର ଶତାଧିକ ମହିଳା ଓ ପୁରୁଷ କୀର୍ତ୍ତନ ବାଜା ସହ ପଦଯାତ୍ରାରେ ବାହାରି ମେହେରମୁଣ୍ଡା ଗ୍ରାମକୁ ମହାଆଡମ୍ବରରେ ଯାଇଥିଲେ । ମେହେରମୁଣ୍ଡା ଗ୍ରାମରେ କନ୍ୟାପିତା ଆକାଶ ସିଂହଙ୍କ ପରିବାର ଓ ଗ୍ରାମବାସୀ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସମସ୍ତ ଘରେ କଳସ ଜାଗରରେ ବନ୍ଦାପନା କରି ଗ୍ରାମକୁ ପରିକ୍ରମା କରାଇଥିଲେ । କନ୍ୟାପିତା ଭାବେ ପ୍ରକାଶ ସିଂହ ରହିଥିବା ବେଳେ ବରପିତା ଭାବେ ଆନନ୍ଦ ମିଶ୍ର ରହିଥିଲେ । ପ୍ରତିଦିନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ମହାଆନନ୍ଦରେ ସପ୍ତାହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ୭ ଦିନ ଧରି ଗ୍ରାମରେ ଭକ୍ତି ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
