oom

ତୃତୀୟ ଲହର ପୁର୍ବରୁ ସାଂସଦଙ୍କ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ସମୀକ୍ଷା : ପୁଣି ଧରା ପଡିଲା ୪ଟି ଅବ୍ୟବହୃତ ଭେଣ୍ଟିଲେଟର, ତୁରନ୍ତ ଚାଲୁ କରିବାକୁ ସଙ୍ଗୀତାଙ୍କ ନିର୍ଦ୍ଦେଶ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀର ତୃତୀୟ ଲହର ପୂର୍ବରୁ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ପରଖିଛନ୍ତି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ । ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ଠାରେ ଅନୁଷ୍ଠିତ ଏକ ବୈଠକରେ ସେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି । ଆଜିର ସମୀକ୍ଷାରୁ ଶିଶୁ ବିଭାଗରେ ୪ଟି ଭେଣ୍ଟିଲଟର ଥିବା ସତ୍ୱେ ଏହାକୁ ବ୍ୟବହାର ନକରି ରୋଗୀଙ୍କୁ ଅଯଥା ଅନ୍ୟତ୍ର ପଠାଯାଉଥିବା ସୂଚନା ମିଳିଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ମେଡିକାଲର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମନ୍ଥରତା ଓ ସ୍ୱାସ୍ଥ୍ୟସେବାରେ ଅନିୟମିତତାକୁ ନେଇ ସାଂସଦ ଅସନ୍ତୋଷ ପ୍ରକାଶ କରିବା ସହିତ ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ରୋଗୀଙ୍କ ପାଇଁ ପ୍ରସ୍ତୁତି ତଥା ସୁବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଂନ୍ଧ୍ୟା ୪ଟାରେ ଅନୁଷ୍ଠିତ ପ୍ରାୟ ଦେଢ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସାଂସଦ ସଙ୍ଗୀତା ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଭୀମ ଭୋଇ ମେଡିକାଲ କଲେଜରେ ଚାଲିଥିଭା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । କେନ୍ଦ୍ର ଓ ରାଜ୍ୟ ତରଫରୁ ଅର୍ଥ ମଞ୍ଜୁର ସତ୍ୱେ ବିଭିନ୍ନ ପ୍ରକଳ୍ପର ମନ୍ଥରତାକୁ ନେଇ ସାଂସଦ ଅସୋନ୍ତୋଷ ବ୍ୟକ୍ତ କରିଥିଲେ । ପରେ ପରେ ଜିଲ୍ଲାର ପାଟଣାଗଡ ଓ ଟିଟିଲାଗଡର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା କରିବା ସହ ସେଠାରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା ସେଠାରେ ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବା ସହିତ ବଲାଙ୍ଗିର ମେଡିକାଲର ବୋଝ କମିବ । ବିଶେଷତଃ ପାଟଣାଗଡରେ ଏକ ଡିଜିଟାଲ ଏକ୍ସରେ ମେସିନ ସହିତ ସିଟି ସ୍କାନ ମେସିନ ଓ ଟିଟିଲାଗଡ ଠାରେ ଏକ ସିଟି ସ୍କାନ ମେସିନ ଯଥାଶୀଘ୍ର ସ୍ଥାପନ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପାଟଣାଗଡ ଠାରେ ଏମସିଏଚ ଓ ଏସଡିଏଚ ବିଲ୍ଡିଂର ଅଗ୍ରଗତି ସଂପର୍କରେ ସବିଶେଷ ଅଲୋଚନା କରିଥିଲେ । ଏହା ସହିତ ଅତିଶୀଘ୍ର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସମସ୍ତ ଉପଖଣ୍ଡ ଡାକ୍ତରଖାନା ବୁଲି ବ୍ୟବସ୍ଥାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ଭୀମ ଭୋଇ ମେଡିକାଲର ସମୀକ୍ଷା ସମୟରେ ଶିଶୁ ବିଭାଗରେ ଅକ୍ସିଜେନ କନେକ୍ସନ ଅଭାବରୁ ୪ଟି ଭେଣ୍ଟିଲେଟର ଅବ୍ୟବହୃତ ହୋଇ ପଡିଥିବା ଜଣାପଡିଥିଲା । ସାଂସଦ ଏହି ୪ଟି ଭେଣ୍ଟିଲେଟରକୁ ତୁରନ୍ତ କାର୍ଯ୍ୟକ୍ଷମ କରି ରୋଗୀଙ୍କୁ ସୁବିଧା ଯୋଗାଇ ଦେବାକୁ କହିଥିଲେ । ତାଛଡା ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟ, ଉପସ୍ଥିତ ବିଶେଷଜ୍ଞ ଡାକ୍ତର, ବିଭିନ୍ନ ବିଭାଗର ଅବସ୍ଥା, ତୃତୀୟ ଲହର ପାଇଁ ପ୍ରସ୍ତୁତି, ସିଟି ସ୍କାନ ମେସିନ, ପ୍ରସ୍ତାବିତ ଏମ୍‌ଆର୍‌ଆଇ ମେସିନ, ନିଦାନ ବିଭାଗ ଆଦି ବିଭିନ୍ନ ବିଷୟର ସବିଶେଷ ବିବରଣୀ ପ୍ରକାଶ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ କହିଥିଲେ । ସମୀକ୍ଷା ବୈଠକ ଶେଷରେ ଉପସ୍ଥିତ ସମସ୍ତଙ୍କୁ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ । ପରେ ପରେ ସାଂସଦ ଭୀମ ଭୋଇ ମେଡିକାଲ କଲେଜର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ ବୁଲି ଦେଖିଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁ, ମେଡିକାଲ କଲେଜ ଡିନ ଡା. ସବିତା ମହାପାତ୍ର, ମେଡିକାଲ କଲେଜ ସୁପରିଷ୍ଟେଣ୍ଡେଣ୍ଟ ଡା. ମହେନ୍ଦ୍ର ନାୟକ, ଡିପିଏମ ମୃତ୍ୟୁଞ୍ଜୟ ମୁଣ୍ଡ, ହସପିଟାଲ ମ୍ୟାନେଜର ଡ. ସ୍ୱରୁପ ଦତ୍ତ, ଡ. ପ୍ରତ୍ୟୁଷ ପଟ୍ଟନାୟକ ଓ ସାଂସଦ ପ୍ରତିନିଧି ଦିନେଶ ଶର୍ମା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.