ସାବିତ୍ରୀବାଇ ଓ ଜ୍ୟୋତି ରାଓ ଫୁଲେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ପଶ୍ଚିମ ଓଡିଶା ମହିଳା ସଂଗଠନ

  • ସାବିତ୍ରୀବାଇ ଏବଂ ଜ୍ୟୋତି ରାଓ ଫୁଲେ ନାରୀ ଶିକ୍ଷାର ମୂଳଦୁଆ ପକାଇଥିଲେ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯେତେବେଳେ ଦେଶ ସାମାଜିକ ବ୍ୟବସ୍ଥାରେ ଝିଅମାନଙ୍କ ପାଠ ପଢିବା ପ୍ରାୟତଃ ନିଷେଧ ଥିଲା । ସେ ସମୟରେ ମାତା ସାବିତ୍ରୀ ବାଇ ଫୁଲେ ଏବଂ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ମିଳିତ ଉଦ୍ୟମରେ ନାରୀଶିକ୍ଷା ପ୍ରଚାର ଓ ପ୍ରସାର ପାଇଁ ବିଜ ଅଙ୍କୁରିତ ହୋଇଥିଲା । ଅନେକ ପ୍ରକାର ବାଧାବିଘ୍ନ ସତ୍ୱେ ଦୃଢମନା ସାବିତ୍ରୀ ବାଇ ଫୁଲେ ତାଙ୍କ ଇଚ୍ଛା ଶକ୍ତି ଓ ତାଙ୍କ ସ୍ୱାମୀଙ୍କ ପ୍ରେରଣା ପାଇ ସେ ଦେଶରେ ମହିଳାମାନଙ୍କ ଶିକ୍ଷା ଗ୍ରହଣରେ ଯେପରି ଅନୁକୂଳ ପରିବେଶ ସୃଷ୍ଟି ହେବ ସେ ଦିଗରେ ପାଦ ବଢାଇଥିଲେ । ୧୮୪୮ ମସିହାରେ ପ୍ରଥମ ବାଳିକା ବିଦ୍ୟାଳୟ ଖୋଳିବା ତାଙ୍କର ଏକ ଐତିହାସିକ ମାଇଲଖୁଣ୍ଟ ଥିଲା । ଯେତେବେଳେ ଆମେମାନେ ନାରୀ ସଶକ୍ତିକରଣ କଥା କହୁଛୁଁ, ପରାଧିନ ଭାରତରେ ମାତା ସାବିତ୍ରୀବାଇ ନାରୀଙ୍କ ଶିକ୍ଷା, ନାରୀ ଅଧିକାରର କଥା କହି ସାରା ଦେଶର ଆଖି ଖୋଲିଦେଇଥିଲେ । ତେଣୁ ଆମେ ନିଶ୍ଚିତ ଭାବରେ ମାନିବାକୁ ପଡିବ ଯେ ମାତା ସାବିତ୍ରୀବାଇ ଫୁଲେ ହେଉଛନ୍ତି ନାରୀ ଶିକ୍ଷା ପ୍ରଚାରର ପ୍ରଥମ କର୍ଣ୍ଣଧାର ବୋଲି ପଶ୍ଚିମ ଓଡିଶା ମହିଳା ସଂଗଠନ ଦ୍ୱାରା ଆୟୋଜିତ ମାତା ସାବିତ୍ରୀ ବାଇ ଫୁଲେ ଏବଂ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଯୁଗଳ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ ପରବର୍ତ୍ତି ସଭାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ମିଶ୍ର ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନ ଦ୍ୱାରା ପ୍ରଦତ୍ତ , ଜୀବନ ଜିଇଁବାର ଅଧିକାର, ସମାନତାର ଅଧିକାର, ଶିକ୍ଷା ଅଧିକାରକୁ ଆଜିର ସରକାରମାନେ ପଦାଘାତ କରୁଛନ୍ତି । ସରକାରୀ ସ୍କୁଲମାନଙ୍କରେ ଶିକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ହୁଗୁଳା କରିଦିଆଯାଉଛି । ଶିକ୍ଷାର ଘରୋଇକରଣ ଯୋଗୁଁ ଆଜି ସମାଜର ଦଳିତ, ନିସ୍ପେଷିତ, ଗରିବ, ଖଟିଖିଆ, ଉତ୍ତମ ଶିକ୍ଷା ଆହରଣ କରିପାରୁନାହିଁ । ଦେଶର ସମ୍ପତ୍ତିକୁ ସୁଷମ ବଣ୍ଟନ କରିବା ପରିବର୍ତ୍ତେ ଧନି ଆହୁରି ଧନି ହେଉଛି ଓ ଗରିବ ଗରିବ ହୋଇଚାଲିଛି । ତେଣୁ ଏ ସବୁକୁ ବନ୍ଦ କରିବାକୁ ପଡିବ ବୋଲି ଶ୍ରୀ ମିଶ୍ର କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏ ଅଂଚଳରେ ଯେତେବେଳେ ଗଣତନ୍ତ୍ର ଥିଲା ଦୁଇ ଦୁଇଟି ବିଶ୍ୱ ବିଦ୍ୟାଳୟ ଥିଲା, ଏହି ସମୟରେ ଶିକ୍ଷା କ୍ଷେତ୍ରରେ ଏ ଅଂଚଳରେ ବିଶେଷ ଉନ୍ନତି ହୋଇଥିଲା । ପରବର୍ତ୍ତି ସମୟରେ ରାଜତନ୍ତ୍ର ଆସିବା ଯୋଗୁଁ ପୁଣି ଶିକ୍ଷା ଗ୍ରହଣ ହେଉ କି ଶିକ୍ଷା ଦାନ କ୍ଷେତ୍ରରେ ଅଧୋଗତି ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇ କହିଥିଲେ ଆଜିର ନାରୀ ସମାଜ ମାତା ସାବିତ୍ରୀବାଇ ଫୁଲେ ଏବଂ ତାଙ୍କୁ ପ୍ରେରଣା ଯୋଗାଇ ଥିବା ତାଙ୍କ ସ୍ୱାମୀ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ନାରୀ ଶିକ୍ଷାର ପ୍ରସାର ପ୍ରତି ଥିବା ତ୍ୟାଗ, ପରିଶ୍ରମ ଓ ନିଷ୍ଠାରୁ କିଛି ଶିକ୍ଷା କରିବା ଦରକାର । ପ୍ରତିକୂଳ ପରିସ୍ଥିତି ସତ୍ୱେ ଏହି ମହାନ ଦମ୍ପତ୍ତି ୧୫୦ ବର୍ଷ ପୂର୍ବରେ ଅନେକ ଗୁଡିଏ ବିଦ୍ୟାଳୟ ସ୍ଥାପନ କରିପାରିଥିଲେ । ତେଣୁ ଆଜିର ସମାଜ ବିଶେଷ କରି ପଶ୍ଚିମ ଓଡିଶା ମହିଳା ସଂଗଠନ ସେହି ପରଂପରାକୁ ଆଗେଇ ନେବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରି ନାରୀ ସଶକ୍ତିକରଣ ଓ ଶିକ୍ଷା ଦିଗରେ କାମ କରି ନିଜକୁ ପ୍ରମାଣିତ କରିବା ଦରକାର ବୋଲି କହିଥିଲେ । ପ୍ରତିମୂର୍ତ୍ତି ଉନ୍ମୋଚନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ସାଂସଦ ପ୍ରତିନିଧି ଦିନେଶ ଶର୍ମା, ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ ସାମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସଂଗଠନ ତରଫରୁ ସତ୍ୟାନନ୍ଦ ସୁନା, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର, ଯାଜ୍ଞସିନୀ ଦୀପ, ସୀମା ଗଡତ୍ୟା, ପ୍ରେମଶିଳା ସାହୁ, ଅମ୍ବିକା କୁମ୍ଭାର, ବାବାସାହେବ ଆମ୍ବେଦକର କ୍ଲବ, ମଳମୁଣ୍ଡା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସୂର୍ଯ୍ୟ ସୁନା ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ସାମାଜିକ ସଂଗଠିକା ଲିଲି ପଟେଲ ଏବଂ ଆମ୍ବେଦକରବାଦୀ ତରଣୀସେନ ଦୀପ ସଂଯୋଜନା କରିଥିବା ବେଳେ ସଂଗଠନର ଉପସଭାନେତ୍ରୀ ସବିତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.