- “ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ମୁଖ୍ୟ ସ୍ତମ୍ଭ”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ କନଫରେନ୍ସ ହଲ ଠାରେ ସଦର ବ୍ଲକ ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଦର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଦୀପ ପ୍ରଜ୍ଜ୍ୱଳନ କରି ନିଜ ବକ୍ତବ୍ୟରେ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟର ମୁଖ୍ୟ ସ୍ତମ୍ଭ । ତାଙ୍କ ନେତୃତ୍ୱ ବିନା ବିଦ୍ୟାଳୟ ଚାଲିବା ସମ୍ଭବ ନୁହେଁ । ସେ ବିଦ୍ୟାଳୟର ଶିକ୍ଷା, ପ୍ରଶାସନ, ଶୃଙ୍ଖଳା, ସମ୍ପର୍କ, ଉନ୍ନତି ଓ ସାମାଜିକ ଭୂମିକା ସବୁକୁ ସମନ୍ୱୟ କରି ବିଦ୍ୟାଳୟକୁ ଉତ୍କର୍ଷ ଦିଗରେ ଆଗକୁ ନେଇଥାନ୍ତି । ତାଙ୍କ ସଠିକ ନେତୃତ୍ୱ, ନିଷ୍ଠା, ମାନବତା ଓ ବୁଦ୍ଧିମତା ନୂତନ ପିଢ଼ିକୁ ଉଜ୍ଜ୍ୱଳ ଭବିଷ୍ୟତ ଦେବାରେ ମୂଲ୍ୟବାନ ଭୂମିକା ନିଭାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ଧରୁଆ ପ୍ରମୁଖ ମଂଚାସୀନ ଥିଲେ । ଏହି ସମ୍ମିଳନୀରେ ମଧ୍ୟାହ୍ନ ଭୋଜନ, ୟୁନିଫର୍ମ, ଚାଇଲଡ ଟ୍ରାକିଙ୍ଗ, ୟୁଏଏସ ପୋର୍ଟାଲ, ଡ୍ରପ ଆଉଟ ଛାତ୍ରଛାତ୍ରୀଙ୍କୁ କିଭଳି ବିଦ୍ୟାଳୟକୁ ଅଣା ଯାଇପାରିବ ସେ ସମସ୍ତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ଦୁଲାଲ ନାଥ କରିଥିବା ବେଳେ ଏବିଇଓ ସନ୍ଧ୍ୟାରାଣୀ ଧରୁଆ ଧନ୍ୟବାଦ ଦେଇଥିଲେ । ଏହି ସମ୍ମିଳନୀରେ ସଦର ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ସମସ୍ତ ସିଆରସସି ଏବଂ ବ୍ଲକ କାର୍ଯ୍ୟାଳୟର କର୍ମଚାରୀବୃନ୍ଦ ଯୋଗଦେଇଥଲେ ।