ବଲାଙ୍ଗିର, (କେପିଏନ୍ଏସ୍) : ଶନିବାର ଦିନ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ ସାମ୍ବାଦିକ ସମ୍ମିଳନୀ ବଲାଙ୍ଗିର ସହରର କନ୍ଧପାଲିପଡା ସ୍ଥିତ ଅଘରିଆ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଘ ତରଫରୁ କେବଳ ଏକମାତ୍ର ଦାବି ୨୦୦୮ର ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ଦାବି ନେଇ ଦୀର୍ଘ ଦିନରୁ ଦାବି ପୂରଣ ପାଇଁ ସଂଘ ତରଫରୁ ଅନେକ ଆନ୍ଦୋଳନ କରାଯାଇଥିଲା । କିନ୍ତୁ ସଂଘର ଦାବିକୁ ପୂର୍ବତନ ସରକାର କି ବର୍ତ୍ତମାନର ସରକାର ଗ୍ରହଣ କରି ନଥିବାରୁ ସଂଘ ପକ୍ଷରୁ ଗତ ଅଗଷ୍ଟ ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରାଯାଇ ରାଜ୍ୟର ଅଣ ଅନୁଦାନ ପ୍ରାପ୍ତ ଓ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା । ତଥାପି ମଧ୍ୟ ସରକାର ତାଙ୍କ ଦାବି ପୂରଣ କଲେନି କି ତାଙ୍କ ସହିତ ଆଲୋଚନା ମଧ୍ୟ କଲେ ନାହିଁ । ତେଣୁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ସେପ୍ଟେମ୍ବର ୧୮ରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲା । ସଂଘର ସଭାପତି ବିଶ୍ୱରଞ୍ଜନ ଦାଶ ସେପ୍ଟେମ୍ବର ୧୯ ତାରିଖରୁ ଆମରଣ ଅନସନରେ ବସିବା ପରେ ସେପ୍ଟେମ୍ବର ୨୦ ତାରିଖ ସରକାରଙ୍କ ପ୍ରତିନିଧି ସଂଘ ସହିତ ଆଲୋଚନା କରିବା ସହିତ ଲିଖିତ ପ୍ରତିଶ୍ରୁତି ଦେଇଥିଲେ, ଅକ୍ଟୋବର ୧୦ରୁ ୨୦ ତାରିଖରେ ତାଙ୍କ ଦାବି ସମ୍ପର୍କରେ ସରକାର ଆଲୋଚନା କରିବେ । ଯେହେତୁ ଆଜି ୧୧ ତାରିଖ ହୋଇଯାଇଛି ତେଣୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଂଘ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ଅନୁରୋଧ କରିଛି ଏବଂ ଆଶା ମଧ୍ୟ ରଖିଛି ସରକାର ନିଶ୍ଚୟ ଏହା କରିବେ । ଯଦି ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କଲେ ସଂଘ ଅକ୍ଟୋବର ୨୦ରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୁହାଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରାଉତଙ୍କ ତତ୍ୱାବଧାନରେ ବଲାଙ୍ଗିର ସହରର ଅଘରିଆ ଭବନଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଖଣ୍ଡ ସଂଯୋଜକ ବିଜୟ କୁମାର ମିଶ୍ର, ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ଲୋଇସିଂହା ଖଣ୍ଡର ଶ୍ରୀକାନ୍ତ ମହାନନ୍ଦ, ଓମ୍ପ୍ରକାଶ ସାହୁଙ୍କସହିତ ଅନେକ ଅଧ୍ୟାପକ ଓ କର୍ମଚାରୀ ସାମିଲ ହୋଇଥିଲେ ।