ବ୍ରହ୍ମପୁରର ତେଲୁଗୁ ଝିଅ ଟି.ତୁଲିକା ରେଡ୍ଡୀ ‘ପ୍ରଜ୍ଞା ପ୍ରତିଭା’ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ରାମହରିନଗର ନିବାସୀ ଟି.ପରିକ୍ଷିତ ରେଡ୍ଡୀ ଓ ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ୍ ଉଚ୍ଚ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଆର୍.ଜମୁନା ରେଡ୍ଡୀଙ୍କ କନ୍ୟା ଟି.ତୁଲିକା ରେଡ୍ଡୀ ଜଣେ ନୃତ୍ୟାଙ୍ଗନା ଭାବେ ରାଜ୍ୟସ୍ତରୀୟ ‘ପ୍ରଜ୍ଞା ପ୍ରତିଭା’ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଯୁକ୍ତ ତିନିର ଛାତ୍ରୀ ଟି.ତୁଲିକା ରେଡ୍ଡୀ ଭୁବନେଶ୍ଵର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରଜ୍ଞା ନୃତାୟନ’ ତରଫରୁ ପ୍ରତିଭା ସମ୍ମାନ-୨୦୨୩ ଜାତୀୟ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରି ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଭୁବନେଶ୍ଵର ଭଞ୍ଜ କଳା ମଣ୍ଡପ ଠାରେ ଆୟୋଜିତ ଦ୍ୱିସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏବଂ ମୌଖିକ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇ ବରିଷ୍ଠ ବିଭାଗରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଆକର୍ଷଣୀୟ ଓଡିଶୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେଉଛନ୍ତି । ଆସନ୍ତା ଅଗଷ୍ଟ ମାସରେ ଉକ୍ତ ସଂସ୍ଥା ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ପ୍ରତିଯୋଗିତାରେ ଓଡିଶାର ଖ୍ୟାତିସଂପନ୍ନ ଓଡିଶୀ ଗୁରୁମାନେ ବିଚାରକ ରୂପେ ଯୋଗ ଦେଇଥିଲେ । ତାଙ୍କର ଏହି ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ।

Leave A Reply

Your email address will not be published.