ଜନମତକୁ ସମ୍ମାନ ଓ ସ୍ୱୀକାର କଲେ ସମରେନ୍ଦ୍ର

  • ସଂକଳ୍ପ ପତ୍ରର ପ୍ରତିଶୃତି ପାଳନ କରନ୍ତୁ ନୂଆ ବିଧାୟକ : ସମରେନ୍ଦ୍ର
  • ଗରିବଙ୍କୁ ଜମିପଟ୍ଟା ପ୍ରଦାନର ପଦକ୍ଷେପ ଶୀଘ୍ର ନିଅନ୍ତୁ ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନମତକୁ ସମ୍ମାନ ଓ ସ୍ୱୀକାର କଲେ ସମରେନ୍ଦ୍ର । ସଂକଳ୍ପ ପତ୍ରର ପ୍ରତିଶୃତି ପାଳନ କରନ୍ତୁ ନୂଆ ବିଧାୟକ ବୋଲି ସମରେନ୍ଦ୍ର ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏ ବର୍ଷ ଏକ ଲମ୍ବା ସମୟ ଧରି ଆମେ ନିର୍ବାଚନ ଲଢିଥିଲୁ । ନିର୍ବାଚନରେ ଆସିଥିବା ଜନମତକୁ ଆମେ ସମ୍ମାନର ସହ ସ୍ୱୀକାର କରୁଛୁଁ । ତା’ ସହ ନିର୍ବାଚନ ମଣ୍ଡଳିର ସମସ୍ତ ଭୋଟର, ଗୁରୁଜନ, ଭାଇଭଉଣୀମାନଙ୍କୁ ନିର୍ବାଚନରେ ଦେଇଥିବା ଅକୁଣ୍ଠ ସହଯୋଗ ସମର୍ଥନ ପାଇଁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଉଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ନିର୍ବାଚନରେ ସକ୍ରିୟ ଭାଗ ନେଇଥିବା କଂଗ୍ରେସ ନେତା, କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ପୂର୍ବ ବର୍ଷମାନଙ୍କ ଭଳି ଆଗାମୀ ଦିନରେ କଂଗ୍ରେସ ଦଳ ବଲାଙ୍ଗିରର ବିକାଶ ଦିଗରେ ନିଶ୍ଚିତ ଭାବରେ ସକରାତ୍ମକ ଚିନ୍ତାଧାରା ରଖିବ ବୋଲି ଆଜି ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଥିବା ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ସମରେନ୍ଦ୍ର ମିଶ୍ର ଉପସ୍ଥିତ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦୀର୍ଘ ଦିନର ନିର୍ବାଚନ ପ୍ରକ୍ରିୟାରେ ଆମେ ଆମ ପ୍ରତିଦ୍ୱନ୍ଦିମାନଙ୍କ ସହ ଦୃଢ ଭାବରେ ଲଢେଇ କରିଥିଲୁ । ଯେହେତୁ ଏହା ଏକ ଲମ୍ବା ସମୟ ନିର୍ବାଚନ ଲଢେଇଥିଲା ତେଣୁ କେତେବେଳେ କେଉଁ ପ୍ରାର୍ଥୀର ବିଜୟ ସମ୍ଭାବନା ବଢୁଥିଲା ତ, କାହାର କମିଯାଉଥିଲା । ସେ ଯାହାବି ହେଉ ଜନମତ ଆମ ପ୍ରତିଦ୍ୱନ୍ଦୀଙ୍କ ସପକ୍ଷରେ ଯାଇଥିଲା ତେଣୁ ନିଶ୍ଚିତ ଭାବରେ ନୂତନ ବିଧାୟକଙ୍କୁ ଆମେ ଆପଣମାନଙ୍କ ମାଧ୍ୟମରେ ଅଭିନନ୍ଦନ ଜଣାଇବୁ । ତା’ ସହ ଏହା ମଧ୍ୟ ନିଶ୍ଚିତ ଭାବରେ ଆଶା କରୁବୁ ଯେ, ବଲାଙ୍ଗିରରେ ଚାଲିଥିବା ବିକାଶ ପ୍ରକଳ୍ପ ଯାହାକି ପୂର୍ବତନ ବିଧାୟକ ଆରମ୍ଭ କରିଥିଲେ ଏବଂ ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହି । ଯଥା ଭୀମଡୁଙ୍ଗୁରିର ସୌନ୍ଦର୍ଯ୍ୟ ଓ ଜଳାଶୟ କାମ, ଛତାମଖନା ବ୍ୟାରେଜ, ଟ୍ରକ ଟର୍ମିନାଲ, ଗନ୍ଧରେଲ ସୌନ୍ଦର୍ଯ୍ୟିକରଣ ପ୍ରକଳ୍ପ, ଅଡିଟରିୟମ ଏ ସବୁ କାମକୁ ସେ ସକରାତ୍ମକ ଭାବରେ ଶୀଘ୍ର ସମ୍ପୂର୍ଣ୍ଣ କରିବେ, ତା’ ସହ ଆମେ ଏହା ମଧ୍ୟ ଆଶା କରିବୁ ଯେ ନିର୍ବାଚନ ଲଢେଇ ସମୟରେ ବର୍ତ୍ତମାନର ବିଧାୟକ ବଲାଙ୍ଗିରର ବିକାଶ ପାଇଁ ଦେଇଥିବା ସଂକଳ୍ପ ପତ୍ରର ପ୍ରତିଶୃତି ଗୋଟି ଗୋଟି କରି ପୁରଣ କରନ୍ତୁ । ବିଶେଷ କରି ସରକାରୀ ଜମିରେ ବସବାସ କରୁଥିବା ଭୂମିହୀନ, ଗରିବ ଓ ଜବରଦଖଲ କରି ରହୁଥିବା ଶ୍ରମିକ ଶ୍ରେଣୀ ଲୋକଙ୍କମାନଙ୍କ ପାଇଁ ମଧ୍ୟ ସେମାନେ ରହୁଥିବା ଜାଗାରେ ପଟ୍ଟା ପ୍ରଦାନ କରିବା ପଦକ୍ଷେପ ଶୀଘ୍ର ନିଅନ୍ତୁ । ଯେହେତୁ ପୌର ନିର୍ବାଚନ ପୂର୍ବରୁ ବର୍ତ୍ତମାନର ବିଧାୟକ ଲୋକଙ୍କ ଜମିପଟ୍ଟା ପ୍ରଦାନର ପ୍ରତିଶୃତି ଦେଉଛନ୍ତି ଆମେ ଆଶା କରିବା ଆମ ଲୋକଙ୍କ ପାଇଁ ସେ ନିଶ୍ଚିତ ଭାବରେ ଜମିପଟ୍ଟା ପ୍ରଦାନର ବ୍ୟବସ୍ଥା କରିବେ ଏବଂ ବେକାର ଯୁବକମାନଙ୍କ ପାଇଁ ଯେତେ ସମ୍ଭବ ଏଠାରେ ଶିଳ୍ପାନୁଷ୍ଠାନ ଗଢିବା ପାଇଁ ପଦକ୍ଷେପ ନେବେ । ସାମ୍ବାଦିକ ସମ୍ମିଳନୀରେ ସମରେନ୍ଦ୍ର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ବଲାଙ୍ଗିରର ବିକାଶ କାମନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଉପସଭାପତି ସନ୍ତକ ବହିଦାର, ମୁଖପାତ୍ର ଅଜୟ ବାଲି, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ତଥା ଜାତୀୟ ଯୁବ କଂଗ୍ରେସ ମୁଖପାତ୍ର ଅଙ୍କିତ ସାହୁ, ବିଧାନସଭା ଯୁବ କଂଗ୍ରେସ ସଭାପତି ନାସୀର ଖାନ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.