କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକର ଜୁନିଅର ରେଡକ୍ରସ ପରାମର୍ଶଦାତା ତଥା ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ନେସନ ବିଲ୍ଡର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱର ଜୟଦେବ ଭବନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଉତ୍କଳ ଗୌରବ ଫାଉଣ୍ଡେସନ ଓ ରୋଟାରୀ କ୍ଲବ ପକ୍ଷରୁ ତାଙ୍କୁ ଉପଢୌକନ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷାଦାନ, କରୋନା ସମୟରେ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ, ବୁଲା ଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଣ ବିଶେଷ କରି ହରିଶଙ୍କରରେ ଥିବା ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେବା, ସମାଜସେବା, ବେଟି ବଚାଓ ବେଟି ପଢାଓ, ବାଲ୍ୟବିବାହ ରୋକିବା, ନିଶାମୁକ୍ତ ଅଭିଯାନ, ପ୍ଲାଷ୍ଟିକ ବର୍ଜନ, ରକ୍ତଦାନ, ରକ୍ତଦାନ ଶିବିର ଆୟୋଜନ, ସଡ଼କ ସୁରକ୍ଷା ଅଭିଯାନ, ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ, ବନାଗ୍ନି ନିବାରଣ ସଭା, ଦୁର୍ଘଟଣାଗ୍ରସ୍ତଙ୍କୁ ଚିକିତ୍ସା ତଥା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଦିଗରେ ସଫଳତା ପାଇଁ ପ୍ରେରଣାର ଉତ୍ସ ସାଜିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ପାଇଁ ସମ୍ମାନିତ କରାଯାଇଛି । ସମ୍ମାନିତ ସଭାରେ ରୋଟାରୀ କ୍ଲବର ଡିଷ୍ଟ୍ରିକ ଗଭର୍ଣ୍ଣର ମନୋଜ ତ୍ରିପାଠୀ, ଡା. ଚିଦାତ୍ମିକା ଖଟୁଆ, କ୍ଲବ ସମ୍ପାଦିକା ସୁନୀତା ମହାନ୍ତି, ମେଜର ଡାକ୍ତର କଳ୍ପନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ଶ୍ରୀ ଦାଶ ହିଆଲ କ୍ଳଷ୍ଟରର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଭାବରେ କାର୍ଯ୍ୟରତ । ତାଙ୍କର ସାମାଜିକ କାର୍ଯ୍ୟକଳାପ ଓ ସାହିତ୍ୟ ପାଇଁ ପ୍ରକୃତିବନ୍ଧୁ, ଆଦର୍ଶ ଶିକ୍ଷକ, ରକ୍ତବୀର ଭଳି ଶତାଧିକ ପୁରସ୍କାର ପାଇଛନ୍ତି । ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ପାଇଁ ସେ ପିଲାମାନଙ୍କ ପାଖରେ ଖୁବ ପରିଚିତ । ତାଙ୍କର ସଫଳତାର ଖବର ପ୍ରଚାରିତ ହେବା ପରେ ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ, ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ, ବାର ଆସୋସିଏସନର ସମ୍ପାଦକ ମନୋଜ ଦାସ, ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।