ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ସମସ୍ତ ପ୍ରସ୍ତୁତି ସମୀକ୍ଷା କଲେ ପୁରୀ ଏସପି ପ୍ରତୀକ ସିଂ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣକୁ ଚଳିତ ବର୍ଷ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ପାଇଁ ପୁରୀ ଏସପି ପ୍ରତୀକ ସିଂ ଶୁକ୍ରବାର ଠାକୁରଙ୍କ ମେଳଣ ପଡିଆ ପରିଦର୍ଶନ କରିଛନ୍ତି । ୧୯୩୭ରୁ ହୋଇଆସୁଥିବା ଏହି ମେଳଣର ଜମାଣ ରାତ୍ର ଉତ୍ସବ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହୋଇ ୧୨ ତାରିଖ ଗୋଧୂଳି ଲଗ୍ନରେ ହରିହର ଭେଟ ହୋଇ ସମାପନ ହେବ । ଓଡିଶା ପ୍ରସିଦ୍ଧ ପଶ୍ଚିମା ଶମ୍ଭୁ ସୋମନାଥ ଦେବଙ୍କ ପଞ୍ଚୁଦୋଳ ମେଳଣ ୮୦ ଏକର ପରିମିତ ବିଶିଷ୍ଟ ପଡିଆରେ ହୋଇଆସୁଛି । ମେଳଣ ପଡିଆକୁ ସଫେଇ କରିବା, ଜଟଣୀ – ପିପିଲି ରାସ୍ତାର ବୃଷଭ ଛକରୁ ମନ୍ଦିର ପର୍ଯନ୍ତ ଓ ମେଡିକାଲ ଛକଠାରୁ ହରିରାଜପୁର ଫାଣ୍ଡି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରି ଯାତାୟତ ସୁବିଧା କରିବା, ଶ୍ରଦ୍ଧାଳୁଙ୍କ ପାଇଁ ୨୦ରୁ ଅଧିକ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା ପାନୀୟ ଜଳ ବ୍ୟବସ୍ଥା ପାଇଁ ଟ୍ୟାଙ୍କର ଯୋଗେ ନିରନ୍ତର ଜଳ ଯୋଗଣ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ସମେତ ଡିଜି ଯୋଗେ ବିଦ୍ୟୁତ ଯୋଗାଣ, ଜନଗହଳିକୁ ନିୟନ୍ତ୍ରଣ ଲାଗି ପୋଲିସ ଫୋର୍ସର ବ୍ୟବସ୍ଥା ଆଦି ସମ୍ପର୍କରେ ଏସପି ଶ୍ରୀ ସିଂ କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପାନୀୟ ଜଳ ସମ୍ପର୍କରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିଶେଷ ଆଲୋଚନା କରାଯିବା ସହିତ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ସମ୍ପର୍କରେ ଆଗାମୀ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ମେଳଣ କମିଟି ପକ୍ଷରୁ ସୂଚନା ମିଳିଛି । କମିଟି ପକ୍ଷରୁ ପ୍ରସନ୍ନ ମହାରଥୀ ପ୍ରଧାନ, ବିକ୍ରମ କେଶରୀ ଚମ୍ପତି, ଅଭିମନ୍ୟୁ ବଳିଆର ସିଂହ, ବିଜୟ ଜେନା, ସମାଜସେବୀ ନିରୁପମା ପାତ୍ର, ବିଷ୍ଣୁ ପ୍ରସାଦ ଜେନା, ମନୋଜ ଜେନା, କେଦାର ପାଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଳଣରେ ପ୍ରତ୍ୟେକ ବର୍ଷ ଟ୍ରାଫିକ ସମସ୍ୟା ବୃହତ୍ତର ସମସ୍ୟା ପାଲଟୁଥିବା ବେଳେ ଚଳିତ ବର୍ଷ ଏହାକୁ ନିୟନ୍ତ୍ରଣ ଦିଗରେ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ପାଇଁ ମେଳଣ କମିଟି ପକ୍ଷରୁ ଦୃଢ ଦାବି କରାଯାଇଛି । ଏହି ପରିଦର୍ଶନ ସମୟରେ ଏସପିଙ୍କ ସହିତ ଅତିରିକ୍ତ ଏସପି ସଜିନ ପଟେଲ ଏସଡିପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଓଆଇସି ମମତା ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ମେଳଣ ସୂଚାରୁ ରୂପେ ସମ୍ପାଦନ କରିବାକୁ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡିଥିଲେ । ଏଥିସହିତ ପୁରୀ ପୋଲିସ ସମସ୍ତ ଭକ୍ତ ଓ ସ୍ଥାନୀୟ ନାଗରିକମାନଙ୍କୁ ଆହ୍ୱାନ କରୁଛି ଯେ, ହରିରାଜପୁର ମେଳଣକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ଭାବେ ପାଳନ ପାଇଁ ପୋଲିସ ପ୍ରଶାସନକୁ ସହଯୋଗ କରନ୍ତୁ ଏବଂ କୌଣସି ସନ୍ଦେହଜନକ ଘଟଣା ବା ବ୍ୟକ୍ତି ସମ୍ବନ୍ଧରେ ନିକଟସ୍ଥ ପୋଲିସ ଅଧିକାରୀ କିମ୍ୱା ୧୧୨ଙ୍କୁ ତୁରନ୍ତ ସୂଚନା ଦେବାପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.