ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ତେଜୁଛି, ଆସନ୍ତାକାଲି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ନେଇ ସମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ନେଇ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ନୂତନ ଭାବେ ୩୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିବା ବେଳେ ଏଥିରୁ ବଙ୍ଗୋମୁଣ୍ଡା ବାଦ ପଡିଛି । ଦୀର୍ଘ ବର୍ଷରୁ ଏନ୍‌ଏସି ଦାବି ହୋଇ ଆସୁଥିବା ବେଳେ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ବଙ୍ଗୋମୁଣ୍ଡା ବନ୍ଦ ଆଦି କରାଯାଇଥିଲା । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ନୂତନ ଏନ୍‌ଏସି ଘୋଷଣା ହେଲେ ବଙ୍ଗୋମୁଣ୍ଡା ମଧ୍ୟ ଏନ୍‌ଏସି ହେବ ବୋଲି ଉତ୍ତର ରଖିଥିଲେ । କିନ୍ତୁ ନୂତନ ଏନ୍‌ଏସି ଘୋଷଣା ତାଲିକାରୁ ବଙ୍ଗୋମୁଣ୍ଡା ବାଦ ପଡିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରାଜାରାଜୁଡ଼ା ଅମଳରୁ ବଙ୍ଗୋମୁଣ୍ଡାର ଏନ୍‌ଏସିର ସମସ୍ତ ମାନଦଣ୍ଡ ଥିବା ସତ୍ତ୍ୱେ ସରକାର ଅଣଦେଖା ଓ ପ୍ରତାରଣା କରିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ସରପଞ୍ଚ ଅଜିତ ଯୋଶୀଙ୍କ ଆବାହକତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜିବୀ, ଜନପ୍ରତିନିଧି, ଯୁବଗୋଷ୍ଠୀ ସାମିଲ ହୋଇ ଆନ୍ଦୋଳନକୁ ତୀବ୍ରତର କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବା ନେଇ ଆଲୋଚନା କରିଥିଲେ । ସରକାର ଅଞ୍ଚଳବାସୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆସନ୍ତାକାଲି ବଙ୍ଗୋମୁଣ୍ଡାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଦୋକାନ ବଜାର, ଅଖଚକ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜରୁରୀ କାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦିଆନଗଲେ ଆନ୍ଦୋଳନ ତୀବ୍ର ହେବା ସହ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.