ନୂଆଦିଲ୍ଲୀ, (ପିଆଇବି) : ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୪ ଫେବୃଆରୀ ୨୦୨୪ରେ ଦୁବାଇରେ ଅନୁଷ୍ଠିତ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ସେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ – ‘‘ଭବିଷ୍ୟତ ସରକାର ଗଠନ’’ ଉପରେ ବିଶେଷ ବକ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ୱ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ୱର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ । ଏହି ବିଶ୍ୱ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଶାସନର ପରିବର୍ତ୍ତିତ ପ୍ରକୃତି ବିଷୟରେ ନିଜର ମତବ୍ୟକ୍ତ କରିଥିଲେ । ସେ “ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ” ମନ୍ତ୍ର ଉପରେ ଆଧାରିତ ଭାରତର ପରିବର୍ତ୍ତନମୂଳକ ସଂସ୍କାର ଉପରେ ଆଲୋକପାତ କରିଥିଲେ । ଭାରତ କିପରି ସାମଗ୍ରିକ କଲ୍ୟାଣ, ସମାବେଶନ ଏବଂ ସ୍ଥାୟୀତ୍ୱକୁ ଆଗକୁ ବଢ଼ାଇବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ଉପଯୋଗ କରିଛି ସେ ବିଷୟରେ ଭାରତୀୟ ଅଭିଜ୍ଞତା ବାଣ୍ଟିବା ସହ ଶାସନ ପ୍ରତି ମାନବ-କେନ୍ଦ୍ରୀତ ଆଭିମୁଖ୍ୟ ପାଇଁ ଆହ୍ୱାନ ଦେଇଥିଲେ । ଏକ ସମାବେଶୀ ସମାଜ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ ଜନ ଭାଗିଦାରୀ, ଅନ୍ତିମ ସୋପାନରେ ସେବା ଯୋଗାଣ ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଉପରେ ଭାରତର ପ୍ରାଥମିକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱର ପରସ୍ପର ସହ ଜଡ଼ିତ ପ୍ରକୃତିକୁ ଦୃଷ୍ଟିରେ ରଖି ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବା ପାଇଁ ସରକାରମାନେ ପରସ୍ପରଠାରୁ ସହଯୋଗ କରିବା ଏବଂ ଶିଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରଶାସନକୁ ସମାବେଶୀ, ପ୍ରଯୁକ୍ତି ଆଧାରିତ, ସ୍ୱଚ୍ଛ ଓ ପାରଦର୍ଶୀ ଏବଂ ସବୁଜ ହେବା ସମୟର ଆବଶ୍ୟକତା ବୋଲି ସେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସରକାରମାନେ ଜନସେବା ପ୍ରତି ସେମାନଙ୍କ ଆଭିମୁଖ୍ୟରେ ସହଜ ଜୀବନଯାପନ, ସହଜ ନ୍ୟାୟ, ସହଜ ଗତିଶୀଳତା, ସହଜ ଅଭିନବତା ଏବଂ ବ୍ୟବସାୟିକ ସୁଗମତାକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜଳବାୟୁ ପରିବର୍ତ୍ତନ କାର୍ଯ୍ୟରେ ଭାରତର ଦୃଢ଼ ପ୍ରତିବଦ୍ଧତା ବିଷୟରେ ବର୍ଣ୍ଣନା କରି ସେ ଏକ ସ୍ଥାୟୀ ବିଶ୍ୱ ଗଠନ ପାଇଁ ମିଶନ ଲାଇଫ (ପରିବେଶ ଅନୁକୂଳ ଜୀବନଶୈଳୀ)ରେ ସାମିଲ ହେବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ । ଗତବର୍ଷ ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆହ୍ୱାନର ମୁକାବିଲା କରିବା ଦିଗରେ ନେତୃତ୍ୱ ଭୂମିକା ଗ୍ରହଣ କରିବା ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଦକ୍ଷିଣ ବିଶ୍ୱ ବା ଗ୍ଲୋବାଲ୍ ସାଉଥ୍ ସମ୍ମୁଖୀନ ହେଉଥିବା ବିକାଶ ଚିନ୍ତାକୁ ବିଶ୍ୱ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆଣିବା ପାଇଁ ଭାରତ କରିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବହୁପାକ୍ଷିକ ଅନୁଷ୍ଠାନଗୁଡ଼ିକର ସଂସ୍କାର ପାଇଁ ଆହ୍ୱାନ ଦେଇ ସେ ନିଷ୍ପତ୍ତି ନେବାରେ ଗ୍ଲୋବାଲ ସାଉଥ୍ ପାଇଁ ଅଧିକ ସ୍ୱର ଉତ୍ତୋଳନ କରିବାକୁ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱ ବନ୍ଧୁ ଭାବରେ ନିଜର ଭୂମିକା ଆଧାରରେ ଭାରତ ବିଶ୍ୱ ପ୍ରଗତିରେ ଯୋଗଦାନ ଜାରି ରଖିବ ବୋଲି ସେ ଜୋର୍ ଦେଇ କହିଥିଲେ ।