ଟୁର୍ ଡି କଳିଙ୍ଗ ଟିମକୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆମ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଜାତୀୟ ତଥା ବିଶ୍ୱ ସ୍ତରରେ ପରିଚିତ କରାଇବା ସହ ବିଭିନ୍ନ ସଚେତନତା ବାର୍ତ୍ତା ନେଇ ସାରା ରାଜ୍ୟ ଭ୍ରମଣ କରୁଛି ଟୁର୍ ଡି କଳିଙ୍ଗ ଟିମ୍ । ପ୍ରକୃତି ଓ ଆଡଭେଞ୍ଚର ପ୍ରେମୀ ୨୦ ଜଣିଆ ଯୁବଗୋଷ୍ଠୀ ସାଇକେଲ୍ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଛନ୍ତି । ଉକ୍ତ ପର୍ଯ୍ୟଟନ ସ୍ଥଳୀ ବାବଦରେ ସାଧାରଣରେ ସଚେତନତା ସୃଷ୍ଟି କରୁଛନ୍ତି । ମଙ୍ଗଳବାର ବ୍ରହ୍ମପୁର ରାଜସ୍ୱ ନିରୀକ୍ଷଣ ଡାକବଙ୍ଗଳା ଠାରୁ ଆଗକୁ ସେମାନେ କରିବାକୁ ଥିବା ଯାତ୍ରାକୁ ଉଦ୍‌ଘାଟନ କରିଥିଲେ ବ୍ରହ୍ମପୁର ଏସ୍‌ପି ଡା ସର୍ବଣା ବିବେକ ଏମ୍, ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ । ଏଭଳି କାର୍ଯ୍ୟକ୍ରମକୁ ନେଇ ଅଭିଯାତ୍ରୀ ଦଳକୁ ଉଭୟ ଅଧିକାରୀ ସାଧୁବାଦ ଜଣାଇବା ସହ ଯାତ୍ରାର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସାଇକେଲ୍ ପର୍ଯ୍ୟଟନର ଏକ କରିଡର୍ ସୃଷ୍ଟି ଲାଗି ଏହି ଟିମ୍ ୧୩ ଦିନରେ ୧୩୦୦ କି.ମି ସାଇକେଲ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ସୁଧୀର ଦାଶଙ୍କ ନେତୃତ୍ୱରେ ବ୍ରହ୍ମପୁରରୁ ଏହି ଦଳ ଚନ୍ଦ୍ରଗିରି ଓ ପାରଳାଖେମୁଣ୍ଡି ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରକୃତିକୁ ଉପଭୋଗ କରିବାର ଶ୍ରେଷ୍ଠ ଉପାୟ ଚାଲି ଚାଲି କିମ୍ବା ସାଇକେଲ ଯୋଗେ ଯାତ୍ରା ବୋଲି କହିଛନ୍ତି ଶ୍ରୀ ଦାଶ ।

Leave A Reply

Your email address will not be published.