ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

  • ନିଶିକାନ୍ତ କୁମ୍ଭାର ମୃତ୍ୟୁ ପାଇଁ ମ୍ୟୁନିସପାଲିଟି ଦାୟୀ, ରୁଜୁ ହେବ ହତ୍ୟା ମାମଲା – ନରସିଂହ
  • ମହାରାଣୀ ସାଗର ଦୁର୍ନୀତିରେ ଭିଜିଲାନ୍ସ ତଦନ୍ତ ଦାବୀ
  • ଧାନକିଣା କେନ୍ଦ୍ର ବ୍ୟବସ୍ଥିତ କରୁ ବିଭାଗ ଓ ସରକାର
  • ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ କିଏ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଣୀ ସାଗର ଦୁର୍ନୀତିର କୁପ୍ରଭାବ ସାଧାରଣ ଜନତାଙ୍କୁ ଗ୍ରାସ କରିବାରେ ଲାଗିଛି । ଅର୍ଥଲୋଭରେ ପୌର ପ୍ରଶାସନ କାମ ପାଇଥିବା ମହିଳା ଏସଏଚଜି ଓ ସେଗୁଡିକୁ କାର୍ଯ୍ୟକାରୀ କରୁଥିବା ଜଣେ ଠିକାଦାର ଶେଷରେ ତୁଳସୀ ନଗର ନିବାସୀ ନିଶିକାନ୍ତ କୁମ୍ଭାରଙ୍କ ଜୀବନ ନେଇଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ସେମାନେ ଅର୍ଥ ତୋଷାରପାତ କରିବା ପାଇଁ ଏକ ନିମ୍ନମାନର ବାଉଁଶ ପୋଲ ତିଆରି କରି ସେଠିକାର ଲୋକଙ୍କୁ ସେହି ରାସ୍ତାରେ ଯିବା ଆସିବା ପାଇଁ ବ୍ୟବସ୍ଥା କରିଥିଲେ । ଯାହାଦ୍ୱାରା କି ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାର ସେହି ନିମ୍ନମାନର ପୋଲ ଉପରେ ଯାଉଥିବା ବେଳେ ଗୋଡ ଖସି ତଳେ ପଡି ଯାଇଥିଲେ । ସେଠାରେ ଥିବା ପଥରରେ ମୁଣ୍ଡ ଛେଚି ହୋଇ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ, ବଲାଙ୍ଗିର ପୌର ସଂସ୍ଥା, ମହିଳା ଏସଏଚଜି ଏବଂ ଠିକାଦାର ବିଘ୍ନ ମିଶ୍ରଙ୍କ ସାମୁହିକ ଅବହେଳା ଯୋଗୁଁ ନିଶିକାନ୍ତଙ୍କ ଜୀବନହାନୀ ଘଟିଛି । ଆଇନ ଅନୁସାରେ କାହାର ଅବହେଳା ପାଇଁ ଯଦି ଜଣେ ବ୍ୟକ୍ତି ପ୍ରାଣ ହରାଏ ତେବେ, ଅବହେଳା କରିଥିବା ସମସ୍ତ ପକ୍ଷଙ୍କ ବିରୁଦ୍ଧରେ ହତ୍ୟା ମୁକଦ୍ଦମା ରୁଜୁ ହେବ । ତେଣୁ ଏମାନଙ୍କ ବିରୁଦ୍ଧରେ ଅତି ଶିଘ୍ର ହତ୍ୟା ମୁକଦ୍ଦମା ରୁଜୁ ହେବା ଉଚିତ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ପୀଡିତ ପରିବାର ୨ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ପୂରଣ ଦାବୀ କରି ପାରିବେ । କେବଳ ଏତିକି ନୁହେଁ ପୂର୍ବରୁ ମଧ୍ୟ ଏହି ଠିକାଦାରଙ୍କ ଜଣେ କର୍ମଚାରୀ କାମ କରୁଥିବା ବେଳେ ବିଜୁଳି ଆଘାତରେ ପ୍ରାଣ ହରାଇଥିଲେ । କିନ୍ତୁ ଚଂଚକତା କରି ପୌରସଂସ୍ଥା ସେହି ଘଟଣାକୁ ଚପାଇ ଦେଇଥିଲା । ତେଣୁ ଉଭୟ ମୃତ୍ୟୁ ଘଟଣା ପାଇଁ ଉପରୋକ୍ତ ତିନି ସଂସ୍ଥା ଉପରେ ହତ୍ୟା ମାମଲା ରୁଜୁ ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ମହାରାଣୀ ସାଗର କାମ ପାଇଁ ନଗର ଉନ୍ନୟନ ବିଭାଗ ୮ କୋଟି, ଅଟଳ ଯୋଜନାରେ ୮ କୋଟି ୩୩ ଲକ୍ଷ, ତା ଉପରେ ପୁଣି ତତକାଳୀନ ରାଜ୍ୟ ସରକାରଙ୍କ ମୋ ପୋଖରୀ ଯୋଜନାରୁ ଅନୁଦାନ ଆସିଛି । କିନ୍ତୁ ମହାରାଣୀ ସାଗରର ବିକାଶ ପରିବର୍ତ୍ତେ ପୌର ସଂସ୍ଥା ଏହାର ବିନାଶ କରିବାରେ ଲାଗିଛି । ତେଣୁ ଦୁର୍ନୀତିରେ ଉବୁଟୁବୁ ଥିବା ଏହି ପ୍ରକଳ୍ପକୁ ନ୍ୟାୟ ପ୍ରଦାନ ପାଇଁ ଶ୍ରୀ ମିଶ୍ର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶ୍ରୀ ମିଶ୍ର ଉଦବେଗ ପ୍ରକାଶ କରିବା ସହ କହିଥିଲେ ବର୍ତ୍ତମାନ ବିଧାୟକ ନିଜ ନିର୍ବାଚନୀ ପ୍ରତିଶୃତିରେ ୧୦ ଦିନ ଭିତରେ ବଲାଙ୍ଗିରକୁ ଅପରାଧ ମୁକ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁୃ ବର୍ତ୍ତମାନ ବଲାଙ୍ଗିର ସହର ଅପରାଧି ଓ ନିଶା ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି । ଦିନ ଦ୍ୱିପହରେ ହତ୍ୟା ଘଟଣା ଘଟେଇ ଅପରାଧି ସ୍ୱଚ୍ଛନ୍ଦରେ ଫେରାର ମାରି ପାରୁଛି । ଲୋକଙ୍କୁ ଏପରି ମିଥ୍ୟା ପ୍ରତିଶୃତି ପାଇଁ ଜନ ପ୍ରତିନିଧି ଉତ୍ତରଦାୟୀ ରହିବା ସହ ଇସ୍ଥାପା ଦିଅନ୍ତୁ ବୋଲି କହିଥିଲେ । ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କେନ୍ଦ୍ର ସରକାର ଯେତେ ବଢାଉଛନ୍ତି ରାଜ୍ୟ ସରକାର ଦେଉଥିବା ବୋନସରୁ ସେହି ମୂଲ୍ୟ କାଟିଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । କେନ୍ଦ୍ର ସରକାର ବଢାଇଥିବା ୬୯ ଟଙ୍କା ଚାଷୀର ହକ ଅଟେ । ରାଜ୍ୟର କୌଣସି ଅଧିକାର ନାହିଁ ଯେ ସେ ଏହି ଅର୍ଥ ବୋନସରୁ କାଟି ଦେବ । ଏଥିରୁ ଚାଷୀକୁଳ ପ୍ରତି ଏମାନଙ୍କ ଅସୁହା ଭାବ ସ୍ପଷ୍ଟ ଜଣା ପଡୁଛି । ମୁଁ ଦାବି କରୁଛି ଏମଏସପିରେ ବଢିଥିବା ୬୯ ଟଙ୍କା ଚାଷୀଙ୍କ ଏକାଉଣ୍ଟକୁ ତୁରନ୍ତ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ତାସହ ଧାନ କିଣା କେନ୍ଦ୍ର ମାନଙ୍କରେ ସିସି କ୍ୟାମେରା ଏବଂ ଅଣ ଏଫଏକ୍ୟୁରୁ ଏଫଏକ୍ୟୁ ଧାନ କରିବାର ଉପକରଣ ସମସ୍ତ ମଣ୍ଡି ମାନଙ୍କରେ ବ୍ୟବସ୍ଥା କରାଯାଉ । କାରଣ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଚାଷୀ ଯଦି ଅଣ ଏଫଏକ୍ୟୁ ଧାନକୁ ଏଫଏକ୍ୟୂ କରିବା ପାଇଁ ଆରଏମସିକୁ ଯିବ ତେବେ ତାହାର ପରିବହନ ଖର୍ଚ୍ଚ ପାଇଁ ଚାଷୀ ଅନେକ କ୍ଷତି ସହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ କଂଗ୍ରେସ ନେତା ମନୀଷ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନୀ, ସାନନ୍ଦ ମିଶ୍ର, ଅଙ୍କିତ ସାହୁ, ଚିନ୍ମୟ ବେହେରା, ଅସିତ ମିଶ୍ର, ଲୋପନ ମିଶ୍ର, କୈଳାସ ମିଶ୍ର, ଜୁଲପଟ୍ଟନାୟକ, ମାନସ ମହାନ୍ତି, ଅନ୍ତ ବେହେରା, ଅର୍ଣ୍ଣପୂର୍ଣ୍ଣା ବରିହା, ମୀରା ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.