ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

• ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ, (ପିଆଇବି): ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଆଇନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ୍ୟ ଆଇନଜୀବୀମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ । ଏହା ଦର୍ଶାଉଛି ଯେ, ସେହି ପିଢ଼ିର ବହୁସଂଖ୍ୟକ ଆଇନଜୀବୀଙ୍କ ପାଖରେ ଦେଶ ପାଇଁ ବଳିଦାନର ଭାବନା ରହିଥିଲା। ମଧୁ-ବାରିଷ୍ଟର ନାମରେ ଖ୍ୟାତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କର ଜୟନ୍ତୀକୁ ଓଡ଼ିଶାରେ ‘ଆଇନ ଦିବସ’ ଭାବେ ପାଳନ କରାଯାଉଛି । ସେ କହିଥିଲେ ଯେ, ଓଡ଼ିଶାବାସୀଙ୍କ ପାଇଁ ‘ମହାତ୍ମା ଗାନ୍ଧୀ’ ଏବଂ ‘ମଧୁ ବାରିଷ୍ଟର’ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦୁଇଜଣ ସବୁଠୁ ସମ୍ମାନନୀୟ ବ୍ୟକ୍ତିତ୍ୱ। ସେମାନଙ୍କ ଭଳି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଇନଜୀବୀମାନେ ଏକ ପ୍ରଗତିଶୀଳ ଓ ପରସ୍ପର ସହ ଯୋଡ଼ି ହୋଇଥିବା ସମାଜ ଗଠନ ପାଇଁ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଆଦର୍ଶକୁ ବଜାୟ ରଖିଥିଲେ । ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଆଦର୍ଶ ପାଳନରେ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରର ପ୍ରାଥମିକତା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ସେମାନଙ୍କୁ କହିଥିଲେ। ରାଷ୍ଟ୍ରୀୟ ପ୍ରାଥମିକତାରେ ଯୋଗଦାନ ଦେବା ନିମନ୍ତେ ସଚେତନ ପ୍ରୟାସ କରିବା ପାଇଁ ରାଷ୍ଟ୍ରପତି ସେମାନଙ୍କୁ ଆହ୍ୱାନ କରି କହିଥିଲେ ।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର ଆଦର୍ଶ ବାକ୍ୟ ‘ସତ୍ୟେ ସ୍ଥିତୋ ଧର୍ମଃ’ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଏହାର ଅର୍ଥ ହେଉଛି, ଧର୍ମ ଦୃଢ଼ତାର ସହିତ ସତ୍ୟରେ ନିହୀତ ରହିଛି । ପ୍ରାଚୀନ ଭାରତରେ ନ୍ୟାୟାଳୟକୁ ପରିଭାଷିତ କରିବା ଲାଗି ମୁଖ୍ୟତଃ ବ୍ୟବହାର କରାଯାଉଥିବା ଦୁଇଟି ଶବ୍ଦ ହେଲା – ‘ଧର୍ମସଭା’ ଏବଂ ‘ଧର୍ମାଧିକରଣ’। ଆଜିର ଆଧୁନିକ ଭାରତରେ, ଆମର ଧର୍ମ ଭାରତର ସମ୍ବିଧାନରେ ରହିଛି, ଯାହାକି ଏ ଭୂଖଣ୍ଡର ସର୍ବୋଚ୍ଚ ଆଇନ । ସମ୍ପୂର୍ଣ୍ଣ ଆଇନ ଜଗତ, ବିଶେଷ କରି ଆଜି ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଯୁବ ଛାତ୍ରଛାତ୍ରୀ ସମ୍ବିଧାନକୁ ସେମାନଙ୍କର ପବିତ୍ର ଗ୍ରନ୍ଥ ଭାବେ ମାନିବା ଉଚିତ୍‌ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ, ସାଥୀ ନାଗରିକମାନଙ୍କୁ ସହାୟତା କରିବା ସ୍ଥିତିରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦେଶର ମହିଳାଙ୍କ ସମେତ ଆମ ଜନସଂଖ୍ୟାର ସବୁଠୁ ଦୁର୍ବଳ ବର୍ଗଙ୍କୁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍‌ । ଆମ ଦେଶର ବହୁସଂଖ୍ୟକ ପଛୁଆ ଓ ବଞ୍ଚିତ ନାଗରିକମାନେ ନିଜର ଅଧିକାର ଓ ହକ୍‌ ବିଷୟରେ ଅନଭିଜ୍ଞ ଅଛନ୍ତି । ସେମାନଙ୍କ ପାଖରେ ସହାୟତା କିମ୍ବା ନ୍ୟାୟ ପାଇବା ଲାଗି ଆବଶ୍ୟକ ସମ୍ବଳର ଅଭାବ ମଧ୍ୟ ରହିଛି । ଏଭଳି ବଞ୍ଚିତ ଓ ପଛୁଆ ବର୍ଗଙ୍କ ସେବାରେ ନିଜର କିଛି ବୃତ୍ତିଗତ ସମୟ ବିନିଯୋଗ କରିବା ଲାଗି ଆଇନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ। ପ୍ରକୃତ କରୁଣା ଭାବନା ନେଇ ଗରିବ ଓ ଦୁର୍ବଳ ଲୋକଙ୍କୁ ସହାୟତା କରିବା ଲାଗି ନିଜ ବୃତ୍ତିଗତ କାର୍ଯ୍ୟର ଅଳ୍ପ କିଛି ସମୟ ବିନିଯୋଗ କରିବା ପାଇଁ ଶ୍ରୀମତୀ ମୁର୍ମୁ ସେମାନଙ୍କୁ ନିବେଦନ କରିଥିଲେ। ସେଥିପାଇଁ ବାସ୍ତବରେ କୁହାଯାଇଛି ଯେ, ଆଇନ କେବଳ ଏକ ପେସା ନୁହେଁ, ଏହା ଏକ ଆହ୍ୱାନ, ରାଷ୍ଟ୍ରପତି ଶେଷରେ କହିଥିଲେ ।

Leave A Reply

Your email address will not be published.