ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ବିକାଶ ପିରଷଦ ବଲାଙ୍ଗିର ଶାଖାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ନବ ନିର୍ବାଚିତ ପଦାଧିକାରୀଗଣଙ୍କ ଶପଥ ବିଧି ଉତ୍ସବ ବଲାଙ୍ଗିର ସ୍ଥିତ ହୋଟେଲ ଭମର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର କ୍ଷେତ୍ରିୟ ଯୁଗ୍ମ ସାଧାରଣ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକ, ପ୍ରଦେଶ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଉପସଭାପତି ମହେନ୍ଦ୍ର ଅଗ୍ରୱାଲ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ଉପସ୍ଥିତ ରହି ଶପଥ କାର୍ଯ୍ୟ ବିଧି ସମ୍ପର୍ଣ୍ଣ କରିଥିଲେ । ସର୍ବ ପ୍ରଥମେ ସଭାପତି ଧନଞ୍ଜୟ ମିଶ୍ରଙ୍କ ସ୍ୱାଗତ ଅଭିଭାଷଣ, ସମ୍ପାଦକ ମାନସ ରଂଜନ ବହିଦାରଙ୍କ ବାର୍ଷିକ ବିବରଣୀ ପଠନ ଏବଂ ଅର୍ଥ ସଚୀବ ଦିନ ଦୟାଲ ଅଗ୍ରୱାଲ ଗତ ଆର୍ଥିକ ବର୍ଷର ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ପରେ ନବ ନିର୍ବାଚିତ ଭାରତ ବିକାଶ ପରିଷଦ, ବଲାଙ୍ଗିର ଶାଖାର ସଭାପତି ବଂଶୀଧର ସା, ସାଧାରଣ ସମ୍ପାଦକ ଜତୀନ୍ଦ୍ର କୁମାର ପଟେଲ, ଅର୍ଥ ସଚିବ ଶୈଳେଶ କୁମାର ଜୈନ, ପର୍ଯ୍ୟାବରଣ ସଚୀନ ବିରେନ୍ଦ୍ର କୁମାର ହୋତା, ସମ୍ପର୍କ ସଚୀବ ଅଚ୍ୟୁତାନନ୍ଦ ପରୋହିତ, ସଂସ୍କାର ସଚୀବ ଅଜିତ କୁମାର ପଣ୍ଡା, ସେବା ସଚୀବ ଶୈଳେଶ କୁମାର ଅଗ୍ରୱାଲ ଏବଂ ମହିଳା ସହ ଭାଗିତା ସଚିବ ମମତା ରାଣୀ ମହାନ୍ତିଙ୍କୁ ପ୍ରଦେଶ ସଭାପତି ଗୋବିନ୍ଦ ଚିନ୍ଦ୍ର ପଣ୍ଡା ଶପଥ ପାଠ କରାଇଥିଲେ । ତତ୍‌ ପଶ୍ଚାତ ପ୍ରଦେଶ ସଭାପତି, ପରିଷଦ ଆଦର୍ଶ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏକ ସୁସ୍ଥ, ସମର୍ଥ, ସଂସ୍କାରିତ ଭାରତ ଗଠନରେ ସମସ୍ତେ ବ୍ରତୀ ହେବା ପାଇଁ ସାର ଗର୍ଭକ ବକ୍ତବ୍ୟ ରଖିଥିଲେ । କ୍ଷେତ୍ର ଯୁଗ୍ମ ସମ୍ପାଦକ ପ୍ରକାର କୁମାର ପଟ୍ଟନାୟକ ପରିଷଦର ସର୍ବ ଭାରତୀୟ ସାଂଗଠାନିକ ସଂରଚନା ସହ ସଦସ୍ୟ ସଦସ୍ୟାଙ୍କ ଦାୟିତ୍ୱ କର୍ତ୍ତବ୍ୟ ସମ୍ବନ୍ଧେ ମାର୍ଗଦର୍ଶନ କରିଥିବା ବେଳେ ପ୍ରଦେଶ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ବଲାଙ୍ଗିର ଶାଖାକୁ ଏକ ଆଦର୍ଶ ଶାଖା ରୂପେ ଜନ କଲ୍ୟାଣରେ ସମର୍ପିତ ହେବା ପାଇଁ ମତ ରଖିଥିଲେ । ଅଜିତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭରେ ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘର ବିଭାଗ ସଂଘ ଚାଳକ ଜତୀନ୍ଦ୍ର ମୋହନ ପାଠୀ, ବିଭାଗ ବ୍ୟବସ୍ଥା ପ୍ରମୁଖ ସୁରେନ୍ଦ୍ର କୁମାର ସେଠଙ୍କ ସମେତ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ । ପରିଶେଷରେ ପରିଷଦର ବଲାଙ୍ଗିର ଶାଖା ସମ୍ପାଦକ ଜତୀନ୍ଦ୍ର କୁମାର ପଟେଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଜଣାଇଲେ, ପରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭାସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.