ବିଂଶତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ -୨୦୨୫

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପ୍ରାତଃ ଘ.୯.୩୦ମି. ସମୟରେ ଆମ୍ଭ ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ଅଧ୍ୟାତ୍ମିକ ପତ୍ରିକା ‘ବଂଶୀବଟ’ର ବିଂଶ ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ସମାରୋହ, ପତ୍ରିକା ଉନ୍ମୋଚନ, ପୁସ୍ତକ ଉନ୍ମୋଚନ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ବଂଶୀବଟ’ର ଗଂଜାମ ଶାଖା ସଭାପତି ଏ. ସନ୍ନ୍ୟାସୀ ରାଓଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ଜଗଦାନନ୍ଦ ମହାରାଜ, ମୁଖ୍ୟ ବକ୍ତା ଭାବେ ‘ବଂଶୀବଟ’ର ମୁଖ୍ୟ ସଂପାଦିକା ସୁଶ୍ରୀ ରଞ୍ଜିତା ପ୍ରିୟଭାଷିଣୀ, ବିଶିଷ୍ଟ ଅତିିଥି ଭାବେ ଶିକ୍ଷାବିତ୍‌ ତଥା ସାହିତ୍ୟିକ ମୁରଲୀଧର ନନ୍ଦ, ସମ୍ମାନିତ ଅତିଥି ଭାବେ ଡ. ସୁକାନ୍ତି ମହାପାତ୍ର, ଗଂଜାମ ଶାଖା ସଂପାଦକ ପ୍ରଫୁଲ୍ଲ କୁମାର ପାତ୍ର ଓ ପତ୍ରିକା ସଂପାଦକ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଠାକୁରଙ୍କୁ ମାଲ୍ୟାର୍ପଣ କରାଯାଇଥିଲା । ଶରତ କୁମାର ପଣ୍ଡା ଓ ଡ. ସନ୍ତୋଷ କୁମାର ଦାଶ ବେଦପାଠ କରିଥିଲେ । ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ପ୍ରେମଶିଳା ନନ୍ଦ, ସ୍ୱର୍ଣ୍ଣମୟୀ ପାଢୀ ଏବଂ ସୁଚେତା ପାଣିଗ୍ରାହୀ । ପ୍ରେମଶିଳା ନନ୍ଦ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲା, ରେଣୁବାଳା ନନ୍ଦ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ମଞ୍ଚ ସଂଚାଳକ ଜ୍ୟୋତିର୍ବିଦ୍‌ ଡ. ଅନ୍ନଦା ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଗଂଜାମ ଶାଖା ସଂପାଦକ ପ୍ରଫୁଲ୍ଲ କୁମାର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ଅତିଥିମାନଙ୍କ ଦ୍ୱାରା ‘ବଂଶୀବଟ’ ନବବର୍ଷ ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା । ଏତଦ୍‌ବ୍ୟତୀତ ଗୀତିକବି ଈଶାନ୍‌ ଚନ୍ଦ୍ର ମିଶ୍ରଙ୍କ ‘ଲଙ୍କାକାଣ୍ଡ କାବ୍ୟ କୁଞ୍ଜ’ ଓ ବିଜୟ କୁମାର ପାଢ଼ୀଙ୍କ ‘ଚନ୍ଦ୍ରାତପ ତଳେ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଚଳିତ ବର୍ଷ ଦଶ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ସୁକାନ୍ତି ମହାପାତ୍ର (ଜଟଣୀ, ଖୋର୍ଦ୍ଧା), ଡ. ପ୍ରତିମାରାଣୀ ମିଶ୍ର (ଭୁବନେଶ୍ୱର), ଡ. ରବିନାରାୟଣ ସାହୁ (ବରଗଡ଼), ଡ. ପ୍ରଦୀପ କୁମାର ମିଶ୍ର (ଜୟପୁର), ଡ. ତରଣୀସେନ ବେହେରା (ଗଜପତି), ବିଜୟ କୁମାର ପାଢ଼ୀ (ବ୍ରହ୍ମପୁର), ଗୋପାଳକୃଷ୍ଣ ପଣ୍ଡା (ବ୍ରହ୍ମପୁର), ରବି ରଥ (ବ୍ରହ୍ମପୁର), ଡ. ସୁଧୀର କୁମାର ରାଉତ (ବ୍ରହ୍ମପୁର) ଏବଂ ଦଣ୍ଡପାଣି ମହାପାତ୍ର (ଚିଙ୍ଗୁଡ଼ିଖୋଲ, ଗଂଜାମ) । ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଗଂଜାମ ଶାଖା ସଭାପତି ଏ. ସନ୍ନ୍ୟାସୀ ରାଓ, ଉପସଭାପତି ରଂଜନ କୁମାର ସାହୁ, ସଂପାଦକ ପ୍ରଫୁଲ୍ଲ କୁମାର ପାତ୍ର ଏବଂ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଅଧ୍ୟକ୍ଷା ସୁଶ୍ରୀ ରଞ୍ଜିତା ପ୍ରିୟଭାଷିଣୀ ସମ୍ମାନିତ କରିଥିଲେ । ‘ଲୋକସାହିତ୍ୟରେ ଶ୍ରୀଜଗନ୍ନାଥ’ ବିଷୟ ଉପରେ ଅତିଥିବୃନ୍ଦ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି କାର୍ଯ୍ୟକ୍ରମରେ ଏକ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରାଇଥିଲେ । ଶେଷରେ ଗଂଜାମ ଶାଖା ଉପସଭାପତି ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶରେ ସଭାସାଙ୍ଗ ହୋଇଥିଲା ।

Leave A Reply

Your email address will not be published.