jayashree

ପୁରୀଠାରେ ନୌସେନା ଦିବସ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଡିସେମ୍ବର ୪, ୨୦୨୪ରେ ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି । ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ, ଆଜି ଡିସେମ୍ବର ୪ ତାରିଖରେ ଆମେ ୧୯୭୧ ଯୁଦ୍ଧରେ ଆମର ଗୌରବମୟ ବିଜୟର ସ୍ମୃତିକୁ ପାଳନ କରୁଛୁ ଏବଂ ମାତୃଭୂମିର ରକ୍ଷା ପାଇଁ ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ । ଭାରତୀୟ ନୌସେନାର ସମସ୍ତ ଯବାନଙ୍କ ନିକଟରେ ଭାରତ କୃତଜ୍ଞ ଏବଂ ସମ୍ମାନ ଓ ସାହସର ସହ ଦେଶ ସେବା କରିଥିବାରୁ ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ ଭାରତର ଭୌଗଳିକ ସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବା ପାଇଁ ଆବଶ୍ୟକ ସମସ୍ତ ଉପାଦାନ ପ୍ରଦାନ କରିଛି । ସୁଦୀର୍ଘ ସମୁଦ୍ର କୂଳ, ଦ୍ୱୀପାଞ୍ଚଳ, ସମୁଦ୍ରରେ ଯାତ୍ରା କରୁଥିବା ଜନସଂଖ୍ୟା ଏବଂ ବିକଶିତ ସାମୁଦ୍ରିକ ଭିତ୍ତିଭୂମି ୫,୦୦୦ ବର୍ଷ ପୂର୍ବରୁ ଭାରତର ଉପକୂଳ ଏବଂ ସାମୁଦ୍ରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥିଲା । ଏକ ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ଓ ଇତିହାସର ସ୍ମୃତିକୁ ବହନ କରିବା ଏବଂ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ଆଶା ନେଇ ଆଗକୁ ବଢ଼ିବା ସହିତ ଭାରତ ଏକ ଦୃଢ଼ ସାମୁଦ୍ରିକ ରାଷ୍ଟ୍ର ପାଲଟିଛି । ଆମର ସୌଭାଗ୍ୟ, ଗୌରବ ଏବଂ ପରିଚୟ ସାଗର ଦ୍ୱାରା ପରିଭାଷିତ ହୋଇଥାଏ । ୨୦୪୭ ସୁଦ୍ଧା ଆମକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ଭାରତୀୟ ନୌସେନା ସାମୁଦ୍ରିକ ନିରାପତ୍ତା ସୁନିଶ୍ଚିତ କରିବା ଜାରି ରଖିବ ବୋଲି ସେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ । ‘ନାରୀ ଶକ୍ତି’କୁ ଉପଯୁକ୍ତ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବାରେ ନୌସେନାର ଅଗ୍ରଣୀ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ପ୍ରଥମ ସେନା ବିଭାଗ ରୂପେ ନୌସେନା ମହିଳା ଅଗ୍ନିବୀରମାନଙ୍କୁ ସାମିଲ କରିଥିଲା । ଦୁଇ ଜଣ ମହିଳା ନୌସେନା ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଦିଲନା କେ ଏବଂ ଲେଫ୍ଟନାଣ୍ଟ କମାଣ୍ଡର ରୂପା ‘ନାଭିକ ସାଗର ପରିକ୍ରମା-୨’ର ଅଂଶବିଶେଷ ଭାବରେ ଆଇଏନ୍‌ଏସ୍‌ଭି ତାରିଣୀରେ ବିଶ୍ୱ ପରିକ୍ରମା କରି ଏହି ନୂଆ ପରିବର୍ତ୍ତିତ ଧାରାର ସର୍ବୋତ୍ତମ ଉଦାହରଣ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.