ବଲାଙ୍ଗିର / ପୁଇଁତଲା, (କେପିଏନ୍ଏସ୍) : ଗତକାଲି ସନ୍ଧ୍ୟା ୮ ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ଅଧିନସ୍ଥ ପୁଇତଲା ବ୍ଲକର ସମଲେଶ୍ଵରୀ ଶିଶୁ ମନ୍ଦିର କୁରୁଲର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଛାତ୍ରଛାତ୍ରୀ ଆଗାମୀ ପିଢ଼ିର ଦାୟାଦ ତେଣୁ ବାପା ମା’ ଓ ଗୁରୁଜୀ ଗୁରୁମା ମିଶି ଦେଶର ଏକ ସୁନାଗରିକ ଟିଏ ଗଢିବାରେ ଏଇ ବିଦ୍ୟାମନ୍ଦିର ଏକ ମାଧ୍ୟମ । ତେଣୁ ସମସ୍ତେ ମିଶି ଏଇ ମଣିଷ ତିଆରି କାରଖାନାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ନୀଳମଣି ପଟେଲ, ବି. ଇ. ଓ. ବଲାଙ୍ଗିର ଯୋଗଦେଇ ଅଭିଭାବକ ଅଭିଭାବିକା ବର୍ତ୍ତମାନର ଶିକ୍ଷାପଦ୍ଧତିକୁ ଆପଣେଇ ଶିକ୍ଷକଙ୍କ ସହ ସମନ୍ଵୟ ରଖି, ଛାତ୍ରଛାତ୍ରୀଙ୍କ ପାଠକୁ ଗୁରୁତ୍ୱ ଦେଇ, ମୋବାଇଲ ଠାରୁ ଦୂରରେ ରଖି ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବାକୁ ପ୍ରବର୍ତ୍ତାଇ ଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ସ୍ଥାନୀୟ ସମିତି ସଭ୍ୟା ଯଶୋବନ୍ତୀ ସେଠ, ଅବସର ପ୍ରାପ୍ତ ସେନା ସମାଜ ସେବୀ ମାନସିଂ ସେଟ, ପାଟଣାଗଡ଼ର ଆଇନଜୀବୀ ରାଧେଶ୍ୟାମ ମିଶ୍ର । ପ୍ରଧାନ ଆଚାର୍ଯ୍ୟ ଭକ୍ତରାମ ପଟେଲ ବିବରଣୀ ପାଠ କରିଥିଲେ । ଅଷ୍ଟମ ଶ୍ରେଣୀ ଛାତ୍ରୀ ସୀୟା ସ୍ନିଗ୍ଧା ନାଏକ ସର୍ବୋଚ୍ଚ ନମ୍ବର ରଖି ସୁନାମ ଆଣିଥିବାରୁ ଓ ତୃତୀୟ ବୃତ୍ତି ପରୀକ୍ଷାରେ ଶ୍ରୀୟାଂଶୁ ନାଏକ ଓ ପ୍ରହ୍ଲାଦ ବିଶ୍ଵାଳଙ୍କୁ ଉପଢ଼ୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ହିତାକାଙ୍ଖୀ ପୂର୍ବତନ ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ବର୍ତ୍ତମାନର ଗୁରୁଜୀ ଗୁରୁମାଙ୍କୁ ସଭାରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାତ୍ର ୩୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୨୦୧୦ ମସିହାରେ ଗଢ଼ିଉଠିଥିବା ଶିଶୁ ମନ୍ଦିର ଆଜି ଅଷ୍ଟମ ଶ୍ରେଣୀ ଯାଏଁ ୨୩୭ ଜଣ ଶିକ୍ଷା ପାଉଛନ୍ତି । ପ୍ରଥମେ ଶିକ୍ଷକ ରାମକୃଷ୍ଣ ଧରୁଆଙ୍କ ଘରେ ଶିକ୍ଷା ଆରମ୍ଭ ହୋଇ ଆଜି ବିଦ୍ୟାଳୟ କଳେବର ବୃଦ୍ଧି ପାଇଥିବାରୁ ଶ୍ରୀ ଧରୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ପ୍ରଚେଷ୍ଟାରେ ସଙ୍ଗୀତ ଓ ନୃତ୍ୟ ଆସର କରାଯାଇ ଉତ୍ସବକୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା । ସଭା ପରିଚାଳନା କରିଥିଲେ ଗୁରୁମା ପ୍ରେମିକା ପଟେଲ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ଦମନ ବଗର୍ତ୍ତୀ ।
Next Post