
ନୟାଗଡ, (କେପିଏନ୍ଏସ୍) : ନୟାଗଡ ଜିଲ୍ଲାରେ ଅବସ୍ଥିତ ସଂଗ୍ରହାଳୟ ମଧ୍ୟରୁ ପଠାଣି ସାମନ୍ତ ସଂଗ୍ରହାଳୟଟି ଖଣ୍ଡପଡ଼ା ସହରାଞ୍ଚଳ ସ୍ଥିିତ ୧୩ନଂ ୱାର୍ଡ ଉମାଦେବୀ ମନ୍ଦିର ପାଖରେ ଅବସ୍ଥିତ । ଏହି ସଂଗ୍ରହାଳୟକୁ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଓ ବିଭିନ୍ନ ବିଦ୍ୟାଳୟମାନଙ୍କରୁ ଛାତ୍ରଛାତ୍ରୀ ପରିଦର୍ଶନରେ ଆସି ସାମନ୍ତଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ୨୧ ଡିସେମ୍ବର ୨୦୧୬ ମସିହାରେ ପର୍ଯ୍ୟଟନ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏହି ପଠାଣି ସାମନ୍ତ ସଂଗ୍ରହାଳୟ ପ୍ରତି ସରକାର ଏକ ପ୍ରକାର ମୁଁହ ବୁଲାଇ ଦେଇଛନ୍ତି । ଏହା ଆରମ୍ଭରୁ ଆଜି ପର୍ଯ୍ୟନ୍ତ କାନ୍ଥଗୁଡିକରେ ରଙ୍ଗ ଲାଗିନଥିବାରୁ ସିମେଣ୍ଟ ଝଡିବାରେ ଲାଗଲାଣି । ପ୍ରବେଶ ଦ୍ଵାର କେଉଁ କାଠରେ ତିଆରି ହୋଇଥିଲା ଯେ, ଉଇଖାଇ କବାଟଟି ଝୁଲିବା ଅବସ୍ଥାରେ ରହୁଛି । ଏଥିସହିତ ଛାତ ଏବଂ କାନ୍ଥରେ ଫାଟ ସୃଷ୍ଟି ହୋଇ ଘର ଭିତରେ ଶିଉଳି ମାଡି ଗଲାଣି । ଜନସାଧାରଣଙ୍କ କହିବା ଅନୁଯାୟୀ ବର୍ଷା ସମୟରେ ଏହି ଫାଟ ଦେଇ ଯେଉଁ ଭଳି ବର୍ଷା ଜଳ ପରିବେଶ କରୁଛି ସଂଗୃହୀତ ଜିନିଷ ଗୁଡିକ ନଷ୍ଟ ହେବା ସ୍ୱଭାବିକ୍ । ତତ୍ ସହିତ ଖଣ୍ଡପଡ଼ା ସାମନ୍ତଙ୍କ ଜନ୍ମଭୂମିରେ ଏଭଳି ସୁନ୍ଦର ଅନୁଷ୍ଠାନଟିଏ ଥିବାବଳେ ଏହି ସଂଗ୍ରହାଳୟରେ ଝାଡୁଦାର ସ୍ୱତନ୍ତ୍ର ପଦବୀରେ ନଥିବା କାରଣରୁ ପରିବେଶଟି ସଦାସର୍ବଦା ଅଳିଆ ଆବର୍ଜନା ହୋଇ ପଡିରହୂଛି । ଏଣୁ ପର୍ଯ୍ୟଟନ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ଅଧିକାରୀ ଓ ଖଣ୍ଡପଡ଼ା ବିଧାୟକ ଏଥିପ୍ରତି ଦୃଷ୍ଟିଦେବାକୁ ଜନସାଧାରଣ ଦାବି କରିଛନ୍ତି ।