ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିକଟ ଭବିଷ୍ୟତରେ ଭାରତ ବର୍ଷ ସମଗ୍ର ବିଶ୍ୱ ମାନଚିତ୍ରରେ ଏକ ଯୁବଶକ୍ତିର ଦେଶ ହେବାକୁ ଯାଉଛି । ଯେଉଁଠି ୧୮ରୁ ୩୫ ବର୍ଷ ମଧ୍ୟରେ ବୟସ ରହିଥିବ । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲା କୁଲତା ସମାଜ ଯୁବକମାନଙ୍କ ଶୈକ୍ଷିକ, ବୌଦ୍ଧିକ ବିକାଶ ସହ ଏକ ଯୁବଶକ୍ତିର ନେତୃତ୍ୱକୁ ସ୍ୱୀକୃତି ଦେଇଛି । ଯୁବବର୍ଗ ହିଁ ସମାଜର ଭବିଷ୍ୟତ, ମେରୁଦଣ୍ଡ । ଏଣୁ ଏଣିକି ବୟସ୍କମାନେ ମାର୍ଗଦର୍ଶନ କରିବେ । ଯୁବବର୍ଗ ସମାଜର ନେତୃତ୍ୱ ନେବେ ବୋଲି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ରଣେଶ୍ୱର ରାମଚଣ୍ଡୀଙ୍କ ପୀଠରେ ମତପ୍ରକାଶ ପାଇଛି । ବାବା ବିଶାଶହେ କୁଲତା ସମାଜ ବଲାଙ୍ଗିର ଜିଲା ମୁଖ୍ୟ କେନ୍ଦ୍ର ପକ୍ଷରୁ ବାର୍ଷିକ ଶାରଦୀୟ ପୂଜନୋତ୍ସବ ଓ ବାର୍ଷିକ ସଭା ଜିଲ୍ଲା ସଭାପତି ଇଂ. ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କୁଲତା ସମାଜର ଯୁବ ସଭାପତି ଉମେଶଚନ୍ଦ୍ର ଗଡ଼ତ୍ୟା, ଡା. ବର୍ଷାରାଣୀ ଭୋଇ, ଯୁବ ଚାଷୀ ଅଜିତ ବିଶ୍ୱାଳ, ପ୍ରଶାସନିକ ଅଧିକାରୀ ଟୁକୁ ପଧାନ, ବିଭୁ କଲ୍ୟାଣ ଗଡ଼ତ୍ୟା ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ସଭାକୁ ବିଭିନ୍ନ ପର୍ଯ୍ୟାୟରେ ମହେନ୍ଦ୍ର ପଧାନ, ଭକ୍ତବନ୍ଧୁ ବିଶ୍ୱାଳ ଓ ରଘୁନାଥ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷା, କ୍ରୀଡ଼ା, ଚାଷ, ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ କୃତୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜରେ ରହିଥିବା ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ, ଶିକ୍ଷା ଓ ସଂସ୍କୃତିକୁ ଗୁରୁତ୍ୱାରୋପ କରାଯାଇଥିଲା । ଚଳିତ ବର୍ଷ ପ୍ରଥମ କରି ଆୟୋଜିତ ସଭାକୁ ଯୁବବର୍ଗଙ୍କ ସମ୍ମାନାର୍ଥେ ଅର୍ପଣ କରାଯାଇଥିଲା । ବରିଷ୍ଠମାନେ ଏଣିକି ମାର୍ଗଦର୍ଶନ କରି ଯୁବବର୍ଗଙ୍କୁ ସଶକ୍ତ କରିବେ ବୋଲି ସଭାରେ ମତପ୍ରକାଶ ପାଇଥିବା ବେଳେ ଯୁବ କୁଲତା ସମାଜ ନିଜ ଅଧିକାର ପାଇଁ ଉଲଗୁଲାନ୍ ଦେଇଥିଲା । ଦୀର୍ଘ ୯ ଦିନ ବ୍ୟାପୀ ହର୍ଡାଟାଲ ପୀଠରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିବା ବେଳେ ପବିତ୍ର ପୂଜନୋତ୍ସବରେ ପାରାୟଣ ଆୟୋଜନ କରାଯାଇଥିଲା । ନୂଆଁପାଲି ଗାଁର ବ୍ରଜେଶ୍ୱରୀ ତୁଳସୀ ରାମାୟଣ ପାରାୟଣ ସଂଘର କଳାକାରମାନେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ରାମାୟଣ ପ୍ରଦର୍ଶନ କରିଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲାର ବିଭିନ୍ନ ଆଞ୍ଚଳିକ କେନ୍ଦ୍ରରୁ ଶହ ଶହ ସଂଖ୍ୟାରେ କୁଲତା ଜାତିର ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ । ହର୍ଡାଟାଲ କେନ୍ଦ୍ରର ସମସ୍ତ ସଦସ୍ୟ/ସଦସ୍ୟା ସକ୍ରିୟ ଉପସ୍ଥିତ ରହି ସହଯୋଗ କରିଥିଲେ ।