
ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସ୍କୃତିକ ବିଦ୍ଭବତା ସାଂଗକୁ ଆନନ୍ଦ ଉଲ୍ଲାସ, ଉତ୍ସାହ ଭରା ମଧ୍ୟରେ ଭକ୍ତି ଭାବରେ ପବିତ୍ର ହରି ଶୟନ ଏକାଦଶୀ ଅବସରରେ ଛତ୍ରପୁର ସହରର ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଜୀଉଙ୍କ ସୁନାବେଶ ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହ ଦ୍ଵାର ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ସ୍ୱାମୀ ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁରଙ୍କ ସୁନା ଅଳଙ୍କାର ଲାଗି ହୋଇଛି । ଗୋଟିଏ ରଥ ଉପରେ ବିରାଜମାନ କରିଥିବା ଠାକୁରଙ୍କ ସୁନା ଅଳଙ୍କାର ବେଶ ଖଚିତ ଦୃଶ୍ୟ ଖୁବ୍ ଆକର୍ଷଣୀୟ ହୋଇଛି । ଚିତ୍ତାକର୍ଷକ ରଥରେ ଏଠାକାର ସୁନାବେଶ ଖୁବ୍ ନିଆରା ଅନନ୍ୟା ପରମ୍ପରା ହୋଇଛି । ଠାକୁରଙ୍କୁ ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖ ରଥ ଦାଣ୍ଡରେ ଲମ୍ବା ଲାଇନ୍ ଲାଗି ରହିଛି । ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ଭକ୍ତ ଆତ୍ମ ବିଭୋର ହୋଇଉଠିଛନ୍ତି ।