jayashree

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦ୍‌ଯାପିତ : ୫ ଜିଲ୍ଲାରୁ ୨୦ ହଜାରରୁ ଅଧିକ କନ୍ଧ ଆଦିବାସୀଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବେଲଘର ନିକଟସ୍ଥ ଡିମ୍ବୁଲି ପାହାଡ ପାଦଦେଶ ତରଗାବାଲିଠାରେ ଡିମ୍ବୁଲି ମହୋତ୍ସବ ସମାରୋହ ସମିତି ପକ୍ଷରୁ ଡିମ୍ବୁଲି ମହୋତ୍ସବ ୨୦୨୪ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦ୍‌ଯାପିତ ହୋଇଯାଇଛି । କନ୍ଧ ଆଦିବାସୀମାନଙ୍କ ସଂସ୍କୃତି ପରମ୍ପରା ତତ୍ଵ ଅନୁଯାୟୀ ଏହି ମାନବ ସମାଜ ଓ ଜୀବ ଜଗତ ସପାଙ୍ଗଗାଡା ଠାରେ ସୃଷ୍ଟି ହୋଇଥିବା ବେଳେ ଡିମ୍ବୁଲି ଠାରେ ବସବାସ କରିଥିଲେ । ଏଣୁ କନ୍ଧ ଆଦିବାସୀମାନେ ସପାଙ୍ଗଗାଡା, ଡିମ୍ବୁଲି ଓ ଶ୍ରାମ୍ବୁଲିକୁ ପୂଜା କରି ଆସୁଛନ୍ତି । ଉକ୍ତ ସଂସ୍କୃତି ପରମ୍ପରା ଧୀରେ ଧୀରେ ଲୁକ୍କାୟିତ ହୋଇଯାଉଥିବାରୁ ଏହାକୁ ଉଦ୍‌ଜୀବିତ କରିବା ପାଇଁ ଡିମ୍ବୁଲି ମହୋତ୍ସବର ଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ ରାୟଗଡା ଏହି ୫ ଜିଲ୍ଲାରୁ ପ୍ରାୟ ୨୦ ହଜାରରୁ ଅଧିକ କନ୍ଧ ଆଦିବାସୀମାନେ ଯୋଗଦେଇଥିଲେ । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝି, ଉପସଭାପତି ଦୟାନିଧି ଜାନିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଡିମ୍ବୁଲି ମହୋତ୍ସବରେ କନ୍ଧମାଳ ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ ଯୋଗଦେଇ କନ୍ଧ ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତେ ନିଷ୍ଠାପର ରହିବା ଆବଶ୍ୟକ । ଏହି ସଂସ୍କୃତି ପରମ୍ପରା କେତେ ମହାନ ତାହା ଅନ୍ୟମାନଙ୍କୁ ଜଣାଇବା ସହ ଡିମ୍ବୁଲିକୁ ଏକ ପର୍ଯ୍ୟଟନ ସ୍ଥଳୀ କରାଯିବ ଏଥି ନିମନ୍ତେ ସମସ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଡିମ୍ବୁଲି ମହୋତ୍ସବର ସଂଯୋଜକ ଭାରତ ସରକାରଙ୍କ ଟ୍ରାଇଫେଡର ଉପାଧକ୍ଷ ପବିତ୍ର ମୋହନ କହଁର, ଉପଦେଷ୍ଟା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝି, ବେଲଘର ସରପଞ୍ଚ ଗୋବିନ୍ଦ ମାଝି ପ୍ରମୁଖ ଡିମ୍ବୁଲି ମହୋତ୍ସବ ୨୦୨୪ର ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ ରାୟଗଡ ୫ଟି ଜିଲ୍ଲାର ମୁଖିଆମାନଙ୍କୁ ସଭା ମଞ୍ଚକୁ ନିମନ୍ତ୍ରଣ କରି ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ଆସିଥିବା ପାରମ୍ପରିକ ବାଦ୍ୟ ଯନ୍ତ୍ର ଓ ନୃତ୍ୟ ପରିବେଷଣ ଲୋକେ ଦେଖି ବିମୋହିତ ହୋଇଥିଲେ । ହଜାର ହଜାର ଲୋକ ଡିମ୍ବୁଲି ପାହାଡର ଶୀର୍ଷ ଦେଶକୁ ଚଢି ସେଠାରେ ପୂଜା ଅର୍ଚ୍ଛନା କରିଥିଲେ । ଏହି ଡିମ୍ବୁଲି ମହୋତ୍ସବକୁ ସଫଳ କରିବା ପାଇଁ ଜମ୍ବେଶ୍ଵର କହଁର, ଯଶୋବନ୍ତ ମାଝି, ବସନ୍ତ ପ୍ରଧାନ, ଦିଲ୍ଲୀପ କହଁର, ବିଶ୍ଵରଞ୍ଜନ କହଁର, ରାମଚନ୍ଦ୍ର ମାଝି, ବିରେନ୍ଦ୍ର ଯାନୀ, ପିଟୁକୁ ମାଝି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.