jayashree

ସୋନାପୁର ସୁଦୀର୍ଘ ବେଳାଭୂମିରେ ଜିରୋ ନାଇଟ ଓ ନୂଆବର୍ଷର ଖୁସି ମନାଇବା ପାଇଁ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଚିକିଟିବ୍ଲକ ଅନ୍ତର୍ଗତ ସୋନାପୁର ବେଳାଭୂମି ଏବେ ପର୍ଯ୍ୟଟକ ଓ ଆଞ୍ଚଳିକସ୍ତରର ଯାତ୍ରୀ ମାନଙ୍କ ପାଇଁ ଦର୍ଶନୀୟସ୍ଥାନ ଏବଂ ପିକନିକ ସ୍ପଟ ଭାବେ ସମସ୍ତଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ପାଲଟିଛି । ନୂଆ ବର୍ଷ ପାଳନ ଅବା ଜିରୋ ନାଇଟ ସେଲିବ୍ରେସନ ପାଳିବା ନିମନ୍ତେ ଗତକାଲି ସକାଳୁ ସକାଳୁ ଯାତ୍ରୀ ମାନଙ୍କର ଭିଡ଼ ଜମିବାରେ ଲାଗିଥିଲା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ସାଙ୍ଗକୁ ଝାଉଁ ବଣରେ ପିକନିକ ଅବା ବଣଭୋଜି ଆସର ଜମିଛି । ହଜାର ହଜାର ସଂଖ୍ୟାରେ ଯାତ୍ରୀ ଓ ପର୍ୟ୍ୟଟକ ମାନେ ସୋନାପୁର ବେଳାଭୂମିରେ ମଜା ନେଇଛନ୍ତି । ରବିବାର ଦିନ ସନ୍ଧ୍ୟା ସୁଦ୍ଧା ଲକ୍ଷାଧିକ ଯାତ୍ରୀଙ୍କ ସମାବେଶ ହୋଇଥିବା ଆକଳନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ସୋନାପୁର ବେଳାଭୂମି କେନ୍ଦ୍ର ପ୍ରଦୁଷଣ ବୋର୍ଡ ତରଫରୁ ବ୍ଲୁଉ ଫ୍ଲାଗ ମାନ୍ୟତା ପାଇଛି । ଏବେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇକୋ-ରିଟ୍ରିଟ୍ ବେଳାଭୂମିର ମାନ୍ୟାତା ମଧ୍ୟ ମିଳିଛି । ତେଣୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସୌଜନ୍ୟରେ ବହୁ ଆର୍ଥିକ ଅନୁଦାନରେ ବିବିଧତା ମଧ୍ୟରେ ଉନ୍ନୟନ ଓ ପ୍ରଗତିଶୀଳ କରାଯାଇଛି ଓ ଏହା ଅଧିକା ବିକାଶଶୀଳ ହୋଇପାରିଛି । ଗଞ୍ଜାମ ଜିଲ୍ଲାର ସୋନାପୁର ବେଳାଭୂମି ଏବେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିଛି । ବ୍ରହ୍ମପୁର ସହର ଓ ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ ସହରର ମଧ୍ୟ ସ୍ଥଳରେ ରହିଥିବା ହେତୁ ଏଠାକୁ ବିଶେଷ କରି ଶ୍ରୀକାକୁଲମ ଜିଲ୍ଲା, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଓ ମନ ମଉଜ କରିବାକୁ ଆସିଥାନ୍ତି । ଏହି ବେଳାଭୂମି ପ୍ରତି ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଯଥେଷ୍ଟ ଧ୍ୟାନ ରଖି ସ୍ଵଚ୍ଛତା ଓ ସୌନ୍ଦର୍ଯ୍ୟିକରଣ ପ୍ରତିଦୃଷ୍ଟି ଦେଇଆସିଛି । ଜିଲ୍ଲା ପ୍ରଶାସନ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ନିର୍ମାଣ କରିଛନ୍ତି । ଗଞ୍ଜାମର ଟୁରିଜିମ ପେକେଜରେ ଭାରତରେ ସୁନାମ ଆଣିଥିବା ନେଇ ଦେଶ ଓ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକଙ୍କୁ ସୋନାପୁର ବେଳାଭୂମି ଖୁବ ଆକୃଷ୍ଟ କରାଇପାରିଛି । ଏନେଇ ବିଭିନ୍ନ ଅବସର ସମୟରେ ଏଠାକୁ ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଏ । ଗତକାଲିଠାରୁ ଆଜି ମଧ୍ୟ ସୋନାପୁର ବେଳାଭୂମିକୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ରାସ୍ତା ଉପରେ ପ୍ରବଳ ଭିଡ଼ ଜମି ଟ୍ରାଫିକ ନିୟନ୍ତ୍ରଣରେ ନିରାପତ୍ତା କର୍ମୀ ଓ ସୁରକ୍ଷାକର୍ମୀଙ୍କୁ ନାକେଦମ୍ କରିଦେଇଛି । ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରିବା ନିମନ୍ତେ ଆହୁରି ଅଧିକ ସଂଖ୍ୟାରେ ପୋଲିସ ବାହିନୀ ମୁତୟନ କରାଯିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.