ପାଣାଜୀ, (ପିଆଇବି) : ସମସ୍ତଙ୍କ ପାଇଁ ଚଳଚ୍ଚିତ୍ରର ପହଞ୍ଚକୁ ସହଜ କରିବା ଲାଗି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) । ଗୋଆରେ ଅନୁଷ୍ଠିତ ଏହି ମହୋତ୍ସବରେ ସିନେଡବ୍ସର ଶୁଭାରମ୍ଭ କରାଯାଇଛି । ଏହା ଏକ ବହୁଭାଷୀ ଅଡିଓ-ସପୋର୍ଟ ଆପ୍ ଯାହା ଦର୍ଶକଙ୍କୁ ସେମାନଙ୍କ ପସନ୍ଦର ଭାଷାରେ କିଛି ଚୟନିତ ମହୋତ୍ସବ ଚଳଚ୍ଚିତ୍ରର ଅନୁଭବ କରିବାର ସୁବିଧା ଦେଇଥାଏ । ଏହି ଅଭିନବ ପଦକ୍ଷେପ ଆଇଏଫଏଫଆଇର ବିବିଧତାକୁ ଗ୍ରହଣ କରିବା, ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ଚଳଚ୍ଚିତ୍ରକୁ ସମସ୍ତଙ୍କ ପାଇଁ ଏକ ସହଭାଗୀ ଅଭିଜ୍ଞତାରେ ପରିଣତ କରିବା ସୁନିଶ୍ଚିତ କରିବାର ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ । ସିନେଡବ୍ସ ଆପ୍ ଦର୍ଶକମାନଙ୍କୁ ଥିଏଟର ଭିତରେ ନିଜ ପସନ୍ଦର ଭାଷାରେ ଚଳଚ୍ଚିତ୍ରକୁ ଉପଭୋଗ କରିବାର ସୁବିଧା ଦେଇଥାଏ । ଚଳଚ୍ଚିତ୍ର ଯେକୌଣସି ଭାଷାରେ ପ୍ରଦର୍ଶିତ ହେଉନା କାହିଁକି ସେମାନଙ୍କୁ ଏହି ଆପ୍ ନିଜ ପସନ୍ଦର ଭାଷାରେ ତାହାକୁ ପରିବେଷଣ କରିବ । ଏହା ପେଟେଣ୍ଟେଡ୍ ଅଡିଓ-ସିଙ୍କ ଜ୍ଞାନକୌଶଳ ଜରିଆରେ ଆପ୍କୁ ଫିଲ୍ମ ସହିତ ଆପେ ଆପେ୍ ସିଙ୍କ୍ ହେବାକୁ ଦେଇଥାଏ । ଏହା ଏକ ବ୍ୟକ୍ତିଗତ, ଗଭୀରତାପୂର୍ଣ୍ଣ ଏବଂ ବାଧାମୁକ୍ତ ଚଳଚ୍ଚିତ୍ର ଅନୁଭବ ପ୍ରଦାନ କରିଥାଏ । ଭାଷାଗତ ବାଧା ଦୂର କରି ସିନେଡବ୍ସ ବିଭିନ୍ନ ଅଞ୍ଚଳ ଏବଂ ଭାଷାଗତ ପୃଷ୍ଠଭୂମିର ଦର୍ଶକମାନଙ୍କୁ ଏକାଠି କରିବ । ଯାହାଫଳରେ ଚଳଚ୍ଚିତ୍ର ମହୋତ୍ସବ ପ୍ରକୃତରେ ସମାବେଶୀ ହୋଇପାରିବ । ସିନେମା ହଲ ଏବଂ ପ୍ରଦର୍ଶନୀରେ ସିନେ ଡବ୍ସ ଗୋଟିଏ ସ୍କ୍ରିନିଂ ପାଇଁ ବହୁଭାଷୀ ଦର୍ଶକଙ୍କୁ ଆକର୍ଷଣ କରିପାରିବେ । ୫୬ତମ ଆଇଏଫଏଫଆଇରେ ସୁଗମ୍ୟତାକୁ ବଢ଼ାଇବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଦୃଶ୍ୟର ବର୍ଣ୍ଣନା ଶୁଣାଇ ଦୃଷ୍ଟିହୀନ ଦର୍ଶକଙ୍କୁ ଚଳଚ୍ଚିତ୍ରର କାହାଣୀ ସହ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହେବା ଲାଗି ବ୍ୟବସ୍ଥା କରାଯାଇଛି । ସଂଳାପ, ଶବ୍ଦ ଏବଂ ଗୁରୁତ୍ୱପୂର୍ଣ୍ଣ ଅଡିଓ ସଙ୍କେତଗୁଡ଼ିକୁ ପାଠ୍ୟ ଭାବରେ ପ୍ରଦର୍ଶନ କରି ଶ୍ରବଣ-ବାଧିତ ଦର୍ଶକଙ୍କୁ ସମର୍ଥନ କରେ । ସିନେଡବ୍ସର ସମନ୍ୱୟ ଏବଂ ଉନ୍ନତ ସୁଗମ୍ୟତା ବୈଶିଷ୍ଟ୍ୟ ସହିତ, ୫୬ତମ ଆଇଏଫଏଫଆଇ ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ଅନ୍ତର୍ଭୁକ୍ତିକରଣର ସୀମାକୁ ଆଗକୁ ବଢାଇବା ଜାରି ରଖିଛି ।