୨୭ରେ ହେବ ଗାନ୍ଧୀ ସେବା ସଂଘ ସ୍ମାରକୀ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବେରବୋଇ ଗ୍ରାମରେ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ପର୍ଯ୍ୟନ୍ତ ଐତିହାସିକ ଗାନ୍ଧୀ ସେବା ସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପତ୍ନୀ କସ୍ତୁରବାଙ୍କ ସହ ଯୋଗଦେଇ ସ୍ଥାନୀୟ ଅଞ୍ଚଳର କୃଷି ଓ ହାତ ତିଆରି କୁଟୀର ଶିଳ୍ପର ବିକାଶ ହେଲେ ଏଠାକାର ଲୋକଙ୍କର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ ୨୭ ତାରିଖ ରବିବାର ବେରବୋଇ ଗାନ୍ଧୀ ପୀଠରେ ଐତିହାସିକ ଗାନ୍ଧୀ ସେବାସଂଘ ସମ୍ମିଳନୀର ସ୍ମାରକୀ ସମାବେଶ କରାଯିବା ପାଇଁ ଗାନ୍ଧୀ ସ୍ମାରକୀ କାର୍ଯ୍ୟନିର୍ବାହୀ ବୈଠକରେ ନିଷ୍ପତ୍ତି ହୋଇଛି । ସ୍ମାରକୀ ସମିତି ସଭାପତି ଇଂ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, ସମାଜସେବୀ ଅନାମ ଚରଣ ମଲ୍ଲିକ, ସନ୍ତୋଷ ବିଶ୍ୱାଳ, ସର୍ବେଶ୍ୱର ବରେଇ ଓ ସୁମନ୍ତ ବେହେରା ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନା କରିଥିଲେ । ଏହି ସମାବେଶରେ ”ଗ୍ରାମ ଉଦ୍ୟୋଗ ପ୍ରସାର ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସମ୍ଭାବନା” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏହି ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ସ୍ମାରକୀ ପକ୍ଷରୁ ନିବେଦନ କରାଯାଇଛି । ଏହି ପ୍ରତିଯୋଗିତା ଆସନ୍ତା ମାର୍ଚ୍ଚ ୨୦ ତାରିଖ ରବିବାର ଦିନ ବେରବୋଇ ଗାନ୍ଧୀ ପୀଠରେ ଅନୁଷ୍ଠିତ ହେବାକୁ ସମିତି ପକ୍ଷରୁ ନିଷ୍ପତ୍ତି ହୋଇଛି । ତେବେ ଏହି ସମାବେଶରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ପରିଷଦର ସଭାପତି ଓ ବିଶେଷଜ୍ଞମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ସୂଚନା ଦେଇଥିବା ବେଳେ ଏଥିରେ ଗାନ୍ଧୀ ପ୍ରେମୀମାନେ ଉପସ୍ଥିତ ରହିବାକୁ ସେ ନିବେଦନ କରିଛନ୍ତି ।

Leave A Reply

Your email address will not be published.