ଆଇଏସ୍‌ ଅଫିସର ହେଲେ ବଲାଙ୍ଗିରର ପୁଅ ସାଇରାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ନାଳଖଣ୍ଡିପଡା ନିବାସୀ ସଞ୍ଜୟ ମିଶ୍ରଙ୍କ ପୁଅ ସାଇରାଜ ମିଶ୍ର ୫୯୧ ରାଙ୍କରେ ରହି ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବଲାଙ୍ଗିର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସାଇରାଜ ପୂର୍ବରୁ ଦୁଇଥର ପରୀକ୍ଷା ଦେଇଥିଲେ । ମାତ୍ର ପ୍ରଥମ ଥର ପ୍ରିଲିମ’ ଏବଂ ଦ୍ଵିତୀୟ ଥର ମେନ୍’ ପର୍ଯ୍ୟାୟରେ ବିଫଳ ହୋଇଥିଲେ । କିନ୍ତୁ ଏଥିରେ ସେ ଭାଙ୍ଗି ନପଡ଼ି ପ୍ରସ୍ତୁତି ଜାରି ରଖିଥିଲେ । ଯାହାକି ଆଜି ତାଙ୍କୁ ସଫଳତା ଦେଇଛି । ବର୍ତ୍ତମାନ ସେ ୱାଲଟିୟରସ୍ଥିତ ଆୟକର ବିଭାଗରେ ଟ୍ୟାକ୍ସ ଆସିଷ୍ଟାଣ୍ଟ(ଟିଏ) ଭାବରେ କାର୍ଯ୍ୟରତ ଅଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପିଲାଦିନରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ତାଙ୍କର ସ୍ୱପ୍ନ ଥିଲା, ଯାହା ଆଜି ସଫଳ ହୋଇଛି । ଗତ ଦୁଇଥର ସେ ବିଫଳ ହେବାପରେ ବି ହାର ମାନି ନଥିଲେ କିମ୍ବା ଏଥିର ମଧ୍ୟ ମନଦୁଃଖ କରିନଥିଲେ । ପ୍ରଶାସକ ହେବା ପାଇଁ ପରିଶ୍ରମ, ନିଷ୍ଠା ସହ ଧର୍ଯ୍ୟ ନିହାତି ଆବଶ୍ୟକ । ର‍୍ୟାଙ୍କକୁ ନେଇ ମୁଁ ଖୁସି ଅଛି ବୋଲି ସେ କହିଛନ୍ତି । ସ୍ଥାନୀୟ ରୁଗୁଡିପଡା ନାଳଖଣ୍ଡି ପଡା ବାସିନ୍ଦା ତଥା ମେଡ଼ିକାଲ ରିପ୍ରେଜେଣ୍ଟେଟିବ୍‌ ସଞ୍ଜୟ ଏବଂ ଶିକ୍ଷୟିତ୍ରୀ ରେଣୁକା ଶତପଥୀଙ୍କ ପୁଅ ସାଇରାଜ ସ୍ଥାନୀୟ ବିଶ୍ଵାତ୍ମା ବିଦ୍ୟାମନ୍ଦିରରୁ ଦଶମଶ୍ରେଣୀ ପାଠ ପଢ଼ିବା ପରେ ଯୁବୋଦୟ ହାୟର ସେକେଣ୍ଡାରୀ ସ୍କୁଲରୁ ବିଜ୍ଞାନ ପାଠ୍ୟକ୍ରମରେ ଯୁକ୍ତଦୁଇ ଶିକ୍ଷା ଗ୍ରହଣ କରିଥିଲେ । ସେହିପରି ଭୁବନେଶ୍ୱରସ୍ଥିତ ବିଜେପି ମହାବିଦ୍ୟାଳୟରୁ ଭୂଗୋଳ ସମ୍ମାନରେ ଡ଼ିଗ୍ରୀ ହାସଲ କରିଥିଲେ । ୬ମାସ ତଳେ ସେ ଆୟକର ବିଭାଗରେ ଚାକିରି ପାଇଥିଲେ । ଏହି ସଫଳତାକୁ ନେଇ ପରିବାର ଲୋକଙ୍କ ସହିତ ବଲାଙ୍ଗିରବାସୀ ବହୁତ୍ ଗର୍ବିତ ଅନୁଭବ କରୁଛନ୍ତି ।

Leave A Reply

Your email address will not be published.