ସାହିତ୍ୟ, ସାହିତ୍ୟିକ ଓ ପାଠକ ଶୀର୍ଷକ ଆଲୋଚନାଚକ୍ର ଏବଂ ପୁସ୍ତକ ଉନ୍ମୋଚନ, ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଏକ ପ୍ରବହମାନ ଧାରା । ଜନମଙ୍ଗଳ ଓ ଜଗତରେ ମାନବିକତା ବୃଦ୍ଧି ପାଇଁ ଆମେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିବା ଦରକାର ବୋଲି ଆଜି ଆମ ଭାଷା ଆମ ସାହିତ୍ୟ ଅନୁଷ୍ଠାନର ଆୟୋଜନରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ବଲାଙ୍ଗିର ଶାଖାର ସହଯୋଗିତାରେ ଆୟୋଜିତ ସାହିତ୍ୟ, ସାହିତ୍ୟିକ ଓ ପାଠକ ଶୀର୍ଷକ ଆଲୋଚନାରେ ଏହି ମତ ପ୍ରକାଶ ପାଇଛି । ଆଲୋଚନା ଚକ୍ର ଅଧିବେଶନରେ ଦେଓଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଚିତ୍ତରଞ୍ଜନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର, ସମ୍ମାନିତ ଅତିଥି ଭାବେ ଓମ୍ ଭେଲି ସ୍କୁଲର ଅଧ୍ୟକ୍ଷ ଅମରେଶ ଚନ୍ଦ୍ର ଦାଶ, ମୁଖ୍ୟବକ୍ତା ଭାବରେ ସୁଦାମଚରଣ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଅଶୋକ କୁମାର ପଣ୍ଡାଙ୍କ ସହ ଅନୁଷ୍ଠାନର ଆବାହକ କବି ‘କୋଶଳ ପ୍ରବାହ’ର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ବୌଦ୍ଧିକ ପ୍ରମୁଖ ସନ୍ଦୀପ କୁମାର କୁଅଁର ମଞ୍ଚାସୀନ ହୋଇଥିଲେ । ପ୍ରାରମ୍ଭରେ ଓମ୍ ଭେଲି ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ ରାଜ୍ୟ ସଂପାଦକ ନବକିଶୋର ବେହେରା । ଏହି ଅବସରରେ ବୈଦ୍ୟ ଶିରୋମଣୀ ଝସକେତନ ଗୁରୁଙ୍କ ପୁସ୍ତକ ଆମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ, କବି ନବକିଶୋର ବେହେରାଙ୍କ ଶିଶୁ କବିତା ସଂକଳନ ମାଆ ଓ ବାର୍ଷିକ ସଂକଳନ ମନସ୍ୱୀନୀକୁ ଲୋକାର୍ପିତ କରିଥିଲେ ମଞ୍ଚାସୀନ ଅତିଥିମାନେ । ଦ୍ୱିତୀୟ ଅଧିବେଶନରେ କବି ଶିକ୍ଷକ ଆୟୁର୍ବେଦ ଚିକିତ୍ସକ ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଖୀଶ୍ୟାମ ତ୍ରିପାଠୀ ତାଙ୍କର ବକ୍ତବ୍ୟରେ ଆମର ସାମାଜିକ ଜୀବନକୁ ବ୍ୟବସ୍ଥିତ କରିବାକୁ ଆମକୁ ହିଁ ନିଜେ ପରିବର୍ତ୍ତିତ ହେବାକୁ ଆହ୍ୱାନ ଦେଇଥିଲେ । ମଂଚାସୀନ ହୋଇଥିବା ଆୟୁର୍ବେଦ ଶିରୋମଣୀ ବୈଦ୍ୟ ଝସକେତନ ଗୁରୁ ନିଜର ବକ୍ତବ୍ୟରେ ଚେରିମୁଳି ଚିକିତ୍ସା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷୟତ୍ରୀ କଳ୍ପନା ଷଡଙ୍ଗୀ, ଶିକ୍ଷୟତ୍ରୀ ପୂର୍ଣ୍ଣିମା ବେହେରା, ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଓ ବୈଦ୍ୟ ଶିରୋମଣୀ ଝସକେତନ ଗୁରୁଙ୍କୁ ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ତରଫରୁ ଉଲ୍ଲେଖନୀୟ ସେବା ପାଇଁ ମାନପତ୍ର, ଉପାୟନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ କୁମୁଦିନୀ ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ କବି ବଳିଷ୍ଠ ପ୍ରଧାନ, ପଦ୍ମନାଭ ବାରିକ, ଅଧିବକ୍ତା ଶୁଭ୍ରାଂଶୁ ଶେଖର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ ଅଧିବେଶନକୁ ସନ୍ଦୀପ କୁମାର କୁଅଁର ସଂଯୋଜନା କରିଥିବା ବେଳେ ଦ୍ୱିତୀୟ ଅଧିବେଶନରେ କବି ଶ୍ରୀ ନବକିଶୋର ବେହେରା ତଥା ଶେଷରେ ଆବାହକ କବି ଆନନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.