ରାଉରକେଲା ସାହିତ୍ୟ ଚିର ବସନ୍ତର କଥା କୁହେ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସାହିତ୍ୟିକ ମାନେ ବସନ୍ତ ଋତୁକୁ ନିଆରା ଢଂଗରେ ଦେଖିଥାନ୍ତି । ଶିଳ୍ପ ସହରରେ କବି ଭାବୁକ ମାନେ ନିଜ ରଚନାରେ ସ୍ୱପ୍ନ ଓ ଭାବ ପ୍ରବଣତା ଅପେକ୍ଷା ବାସ୍ତବତାର କଥା ବେଶୀ କହନ୍ତି ବୋଲି ଆୟୋଜିତ ବସନ୍ତ ମିଳନରେ ବିଶିଷ୍ଟ ଶିକ୍ଷାବିଦ୍‌ ପ୍ରସନ୍ନ କୁମାର ନନ୍ଦ ମତବ୍ୟକ୍ତ କରିଥିଲେ । ସେ କହିଲେ, ଋତୁରାଜ ବସନ୍ତ ସବୁବେଳେ ନିଜର ନିଆରା ରୂପକୁ କବି ମାନଙ୍କ ଦ୍ୱାରା ବଖାଣିଥାଏ । ସାହିତ୍ୟକ ମାନେ ଚିର ବସନ୍ତର କଥା କହିଥାନ୍ତି । ସାଧାରଣ ସଂପାଦକ ଗୌରାଙ୍ଗ ଦାଶ କହିଲେ, ଜୀବନ ଠାରୁ ଆମେ ଯେତିକି ଦୂରେଇ ଯାଉଛୁ , ପ୍ରକୃତି ମଧ୍ୟ ଆମଠାରୁ ସେତିକି ଦୂରେଇ ଯାଉଛି । ଆମ୍ବଡାଳରେ ବସି କୋଇଲିର କୁହୁ ଗାନ ଆଉ ଶୁଭୁ ନାହିଁ, ସୁଲୁସୁଲୁ ମଳୟ ପବନ ଆମ ଦେହକୁ ଶିହରଇ ଦେଉଛି । କେତେବେଳେ ବସନ୍ତ ଅସି ଉଭାନ ହେଇ ଯାଉଛି, ଆମେ ଜାଣି ପାରୁ ନାହୁଁ । ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ବସନ୍ତ ମିଳନ ସ୍ଥାନୀୟ ଉତ୍କଳ ନଗରଠାରେ ଅନୁଷ୍ଠିତ ହୋଇଥିଲ । ଏଥିରେ ସଭାପତି ହରିହର ବେହେରା ସଭାପତିତ୍ୱ କରି ବସନ୍ତକୁ କବିମାନେ କିପରି ତାଙ୍କ‌ କବିତାରେ ବର୍ଣ୍ଣନା କରିଥିଲେ, ସେ ସଂପର୍କରେ ମତବ୍ୟକ୍ତ କରିଥିଲେ । ପୁରାତନ କବିଠାରୁ ଆଧୁନିକ କବି ପର୍ୟ୍ୟନ୍ତ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ସିଂହ, ମୁରଲୀଧର କିଷାନ, ନରେଶ ଗୌଡ, ମଧୁସ୍ମିତା କୁର୍ମୀ, ନନ୍ଦିତା ପଲେଇ, ରବିନା ଟୁଡୁ ପ୍ରମୁଖ ଯୋଗ ଦେଇ କବିତା ପାଠ କରିଥିଲେ । ପରିଶେଷରେ ସନ୍ତୋଷ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.