ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ସହାୟତା ରାଶି

  • ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଲିଙ୍ଗ ନିରୂପଣ କରି ଭୃଣହତ୍ୟା ହେଉଥିବା ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଗତ ୨୯/୦୩/୨୦୨୩ ତାରିଖ ଦିନ ଗ୍ରହଣ କରାଯାଇଥିବା ନିଷ୍ପତି ପ୍ରକାରେ ଜିଲ୍ଲାରେ ଡାଏଗ୍ଲୋଷ୍ଟିକ ସେଣ୍ଟର ନିମନ୍ତେ ଆବେଦନ ହୋଇଥିବା ଚିକିତ୍ସାଳୟଗୁଡିକର ଲାଇସେନସ ସମ୍ପର୍କିତ ଆଲୋଚନା କରାଯାଇଥିଲା । ଆବେଦନ ସେଣ୍ଟରଗୁଡିକୁ ଏକ ବୈଷୟିକ ଟିମ୍‌ ଦ୍ଵାରା ଯାଞ୍ଚ କରାଯାଇ ଅନୁମୋଦନ କରାଯାଇଥିଲା । ପୁରୁଷ ଲିଙ୍ଗ ଅନୁପାତରେ କନ୍ୟା ଲିଙ୍ଗଙ୍କ ସଂଖ୍ୟା କମ୍‌ ରହୁଥିବା ହେତୁ ସମାଜରେ ଅନେକ ସମସ୍ୟା ଦେଖାଯାଏ । ଲିଙ୍ଗ ଅନୁପାତକୁ ସଠିକ୍‌ ପରିଚାଳନା ଓ ତାରତମ୍ୟ ସକାଶେ କନ୍ୟା ଭୃଣ ହତ୍ୟା କରିବା ଆଇନଗତ ଦଣ୍ଡନୀୟ ଅପରାଧ । ଏହି କନ୍ୟା ଭୃଣ ଚିହ୍ନଟ ଏବଂ କନ୍ୟା ଭୃଣ ନଷ୍ଟ କରିବା ଦିଗରେ ପ୍ରଥମ ସୂଚନା ଜିଲ୍ଲା ଚିକିତ୍ସାଧିକାରୀ ଓ ଜନ ସ୍ଵାସ୍ଥ୍ୟ ଚିକିତ୍ସାଧିକାରୀ ପରିବାର କଲ୍ୟାଣ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି । ପ୍ରସବ ପୂର୍ବ ଓ ପରବର୍ତ୍ତୀ ଲିଙ୍ଗ ନିରୂପଣ ନିରୋଧ ଆଇନ- ୧୯୯୪ ଅନୁଯାୟୀ ଲିଙ୍ଗ ନିରୂପଣ କରୁଥିବା ଡାଏଗ୍ଲୋଷ୍ଟିକ ସେଣ୍ଟରଗୁଡିକୁ ବନ୍ଦ କରାଯିବ । ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଖେସ ନିର୍ଦ୍ଦେଶ ଦେଇଥିଲେ । ପଞ୍ଜିକୃତ ହୋଇଥିବା ଡାଏଗ୍ଲୋଷ୍ଟିକ ସେଣ୍ଟରଗୁଡିକ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଥିଲେ । ବିଗତ ଦିନମାନଙ୍କରେ କମିଟି କିଭଳି ଜିଲ୍ଲାର ବିଭିନ୍ନ ବ୍ଲକରେ ସନ୍ଦିଗ୍ଧ ଥିବା ସେଣ୍ଟରଗୁଡିକୁ ଚଢ଼ାଉ କରି ସାମଗ୍ରୀ ଜବତ ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ସେ ସମର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ କିଭଳି ଭିଜିଲାନ୍ସ ହୋଇ କମିଟି ଦ୍ଵାରା ନିୟମିତ ବ୍ୟବଧାନରେ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବା ସେହି ରଣ କୌଶଳ ସମ୍ପର୍କିତ ପ୍ରସ୍ତୁତି କରାଯାଇଥିଲା । ଏହି ସମ୍ପର୍କରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଚଢ଼ାଉ କାର୍ଯ୍ୟର ସୁପରିଚାଳନା ପାଇଁ କମିଟିରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ, ଚିକିତ୍ସାଧିକାରୀ, ପୋଲିସ ଦଳକୁ ନେଇ ବିଭିନ୍ନ ଅଲ୍ଟ୍ରାସାଉଣ୍ଡ ୟୁନିଟ୍‌ଗୁଡିକୁ ପିସିପିଏନ୍‌ଡିଟି ଆଇନ ନିୟମର ଉଲଂଘନ କରୁଛନ୍ତି ତାହା ତଦାରଖ କରିବେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୱାନ ଷ୍ଟପ ସେଣ୍ଟର ସଖୀ ସମ୍ପର୍କିତ ଏବଂ କନ୍ୟା ରତ୍ନର ଆବଶ୍ୟକତା ସମ୍ପର୍କିତ ତଥ୍ୟ ପ୍ରଚାର ଓ ପ୍ରସାର କରିବାକୁ କୁହାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପରିବାର କଲ୍ୟାଣ ଡା. ଭି ସରୋଜିନୀ ଦେବୀ, ଡେପୁଟି କଲେକ୍ଟର, ଜୁଡିସିଆଲ ଦୀପ୍ତି କୁମାରୀ ପାତ୍ର, ଡା. ସୁଚିତ୍ରା ସାହୁ, ଡା. ଭବାନୀ ଶଙ୍କର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ସାମାଜିକ କର୍ମୀ ପ୍ରଦୀପ ପଣ୍ଡା, ଡିପିଏମ୍‌ୟୁ ଜିଲ୍ଲା ସଂଯୋଜକ ଶକ୍ତି କୁମାର ଦିଗାଲ, ଆଇନ ପରାମର୍ଶ କର୍ମୀ ଦିଲୀପ କୁମାର ପଣ୍ଡା, ଜିଲ୍ଲା ଡ୍ରଗ ଇନ୍ସପେକ୍ଟର ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.