ସ୍ୱାମୀ ଅବହେଳିତ ଭୂମିସୂତାକୁ ପ୍ରଶାସନର ସହାୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାମୀ ଅବହେଳିତ ଭୂମିସୂତା ତ୍ରିପାଠୀଙ୍କୁ ଏକ ଛୋଟ ଦୋକାନ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ସମ୍ମୁଖରେ ଥିବା ଗାଡି ପାକିଂ ଓ ବିକ୍ରୟ ସ୍ଥଳରେ ହସ୍ତାନ୍ତରିତ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପାଟଣାଗଡ ଥାନା ଅନ୍ତର୍ଗତ ମୁଦଘାଟ ଗାଁରେ ସାଧାରଣ ଭାବେ ବସ ବାସ କରୁଥିବା ରାଜେନ୍ଦ୍ର ପଣ୍ଡା ଓ ଶ୍ରୀମତୀ ଦେବମତୀ ପଣ୍ଡାଙ୍କ ଏକମାତ୍ର କନ୍ୟା ସନ୍ତାନ ଭୂମିସୂତା ପ୍ରାପ୍ତ ବୟସ୍କା ହୋଇଯିବା ପରେ ବଲାଙ୍ଗିର ସଦର ଅଂଚଳର ପରଧିଆପାଲି ଗାଁର ମାର୍କଣ୍ଡ ତ୍ରିପାଠୀକୁ ବୈଦିକ ରୀତିରେ ବିବାହ ଦେଇଥିଲେ । ମାତ୍ରକ ଦୁର୍ଭାଗ୍ୟକୁ ସ୍ୱାମୀ ନିଶାଖୋର ହୋଇ ଭୂମିସୂତାଙ୍କୁ ବାରମ୍ବାର ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଦେଇ ଶେଷରେ ନିଜର ଶିଶୁପତ୍ର ବିଷ୍ଣୁ ପ୍ରସାଦ ବର୍ତ୍ତମାନ ସାଢେ ତିନି ବର୍ଷ ଓ ଗର୍ଭସ୍ଥ ଶିଶୁ ବର୍ତ୍ତମାନ ୯ ମାସର ଶିଶୁ କନ୍ୟା ସହ ନେଇ ଯାଇ ବୃଦ୍ଧ, ଗରିବ, ଶାଶୁ- ଶ୍ୱଶୁରଙ୍କ ମୁଦଘାଟ ଗାଁରେ ଛାଡିଦେଇ କୁଆଡେ ଚାଲିଗଲେ । ଅନନ୍ୟୋପାୟ ହୋଇ ଭୂମିସୂତାର ବୃଦ୍ଧ ପିତା ମାତା ଝିଅ ଓ ନାତି, ନାତୁଣି ସହ ପେଟ ପାଟଣା ଉଦ୍ଦେଶ୍ୟରେ ମୁଦ୍‌ଘାଟ ଛାଡି ବଲାଙ୍ଗିରକୁ ପଳାଇ ଆସିଲେ । ଏହାପରେ ଭୂମିସୂତା ବଲାଙ୍ଗିର ଜିଲ୍ଲାପାଳଙ୍କୁ କର୍ମ ସଂସ୍ଥାନ ଉଦ୍ଦେଶ୍ୟ ତଥା ଆର୍ଥିକ ସହାୟତା ପାଇଁ ଭେଟି ହାରିଗୁହାରି କରିଥିଲେ । ପରେ ଜିଲ୍ଲାପାଳ ସ୍ୱାବଲମ୍ବୀ ହେବା ପାଇଁ ତାଙ୍କୁ ମ୍ୟୁନିସିପାଲିଟିରୁ ଏକ ଦୋକାନ ଘର ଷ୍ଟଲ ନମ୍ବର ୧୨, ଜିଲ୍ଲା ଜରୁରୀ ଶାଖାରୁ କିଛି ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଆଜି ଜିନିଷ ପତ୍ର କିଣା କିଣିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅରୁଣ ଖୁଆସ ସମସ୍ତ ସହଯୋଗ କରିଥିବା ବେଳେ ଜିନିଷ ସହ ଦୋକାନ ଆରମ୍ଭ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ଜିଲ୍ଲା ଜରୁରୀ ଶାଖାର ଶ୍ରୀନିବାସ ତ୍ରିପାଠୀ, ଇଶାନ ମିଶ୍ର, ସୁଦାମ ସୁନା, ଶୁଭେନ୍ଦୁ ମେହେର ଉପସ୍ଥିତ ରହି ପରିଶ୍ରମ କରି ଏହି ଦୋକାନ ମାଧ୍ୟମରେ ନୂତନ ରାହାର ସଫଳତା ପାଇବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.