୨୦୨୪-୨୫ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪-୨୫ ବିପଣନ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି । କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ବିପଣନ ଋତୁ ୨୦୨୪-୨୫ ପାଇଁ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି । ଗତ ବର୍ଷ ତୁଳନାରେ ତୈଳବୀଜ ଏବଂ ଡାଲି ଜାତୀୟ ଫସଲ ଯଥା କଳା ରାଶି (କ୍ୱିଣ୍ଟାଲ ପିଛା ୯୮୩ ଟଙ୍କା) ଏବଂ ରାଶି (କ୍ୱିଣ୍ଟାଲ ପିଛା ୬୩୨/- ଟଙ୍କା) ଏବଂ ହରଡ଼ (କ୍ୱିଣ୍ଟାଲ ପିଛା ୫୫୦ ଟଙ୍କା) ପାଇଁ ଏମ୍‌ଏସ୍‌ପିରେ ସର୍ବାଧିକ ନିରପେକ୍ଷ ବୃଦ୍ଧି ସୁପାରିସ କରାଯାଇଛି । ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ସ୍ତରରେ ଏମ୍‌ଏସ୍‌ପି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ବଜେଟ୍‌ ୨୦୧୮-୧୯ରେ ଘୋଷଣା କରାଯାଇଥିଲା । ଏହାକୁ ଆଧାର କରି ବିପଣନ ଋତୁ ୨୦୨୪-୨୫ ପାଇଁ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି । କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଆଶାନୁରୂପ ଲାଭ ସୀମା ବାଜରା (୭୭%) ଏବଂ ହରଡ଼ (୫୯%) କ୍ଷେତ୍ରରେ ସର୍ବାଧିକ ହେବ ବୋଲି ଆକଳନ କରାଯାଇଛି । ଏହାପଛକୁ ମକା (୫୪%) ଓ ହରଡ଼ (୫୨%)ରୁ ଦ୍ୱିତୀୟ ସର୍ବାଧିକ ଲାଭ ମିଳିବ । ଅବଶିଷ୍ଟ ଫସଲ ପାଇଁ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ବାବଦରେ ୫୦ ପ୍ରତିଶତ ମାର୍ଜିନ ମିଳିବ ବୋଲି ଆକଳନ କରାଯାଇଛି । ବିଗତ ବର୍ଷମାନଙ୍କରେ ସରକାର ଡାଲି ଜାତୀୟ ଓ ତୈଳବୀଜ ଏବଂ ପୋଷ-ଶସ୍ୟ/ ଶ୍ରୀ ଅନ୍ନ ଭଳି ଶସ୍ୟ ବ୍ୟତୀତ ଅନ୍ୟ ଫସଲ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି । ଖରିଫ ବିପଣନ ଋତୁ ଅଧୀନରେ ୨୦୦୩-୦୪ରୁ ୨୦୧୩-୧୪ ମଧ୍ୟରେ ୧୪ଟି ଫସଲକୁ ସାମିଲ କରାଯାଇଥିଲା । ଏହି ସମୟ ମଧ୍ୟରେ ଏମ୍‌ଏସ୍‌ପିରେ ସର୍ବନିମ୍ନ ନିରପେକ୍ଷ ବୃଦ୍ଧି ବାଜରା ପାଇଁ କ୍ୱିଣ୍ଟାଲ ପିଛା ୭୪୫/- ଟଙ୍କା ଥିଲା ଏବଂ ମୁଗ ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ନିରପେକ୍ଷ ବୃଦ୍ଧି ୩,୧୩୦/- ଟଙ୍କା ଥିଲା । ଅନ୍ୟପକ୍ଷରେ ୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ମକା ପାଇଁ ସର୍ବନିମ୍ନ ଏମ୍‌ଏସ୍‌ପି କ୍ୱିଇଣ୍ଟାଲ ପିଛା ୭୮୦/- ଟଙ୍କା ଏବଂ କଳା ରାଶି ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ୪,୨୩୪/- ଟଙ୍କା ବୃଦ୍ଧି ହୋଇଥିଲା । ଏହାର ବିବରଣୀ ସଂଲଗ୍ନକ -୧ରେ ରହିଛି । ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଖରିଫ ବିପଣନ ଋତୁରେ ଅନ୍ତର୍ଭୁକ୍ତ ୧୪ଟି ଫସଲ କ୍ରୟ ପରିମାଣ ୪,୬୭୫.୯୮ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମଟି) ହୋଇଥିବା ବେଳେ ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ଏହି ଫସଲ କ୍ରୟ ୭,୧୦୮.୬୫ ଲକ୍ଷ ମେଟ୍ରିକ ଟନ୍ ଥିଲା । ବର୍ଷ ପିଛା ବିବରଣୀ ସଂଲଗ୍ନକ-୨ରେ ରହିଛି । ୨୦୨୩-୨୪ ପାଇଁ ଉତ୍ପାଦନର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ, ଦେଶରେ ସମୁଦାୟ ଖାଦ୍ୟଶସ୍ୟ ଉତ୍ପାଦନ ୩୨୮୮.୬ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍ଏମଟି) ଏବଂ ତୈଳବୀଜ ଉତ୍ପାଦନ ୩୯୫.୯ ଲକ୍ଷ ଏଲ୍‌ଏମ୍‌ଟି ଛୁଇଁଛି । ୨୦୨୩-୨୪ ରେ ଚାଉଳ, ଡାଲି, ତୈଳବୀଜ ଓ ପୁଷ୍ଟିକର ଖାଦ୍ୟଶସ୍ୟ / ଶ୍ରୀ ଅନ୍ନ ଓ କପାର ଖରିଫ ଉତ୍ପାଦନ ଯଥାକ୍ରମେ ୧୧୪୩.୭ ଏଲ୍‌ଏମ୍‌ଟି, ୬୮.୬ ଏଲ୍‌ଏମ୍‌ଟି, ୨୪୧.୨ ଏଲ୍‌ଏମ୍‌ଟି, ୧୩୦.୩ ଲକ୍ଷ ଏଲ୍‌ଏମ୍‌ଟି ଓ ୩୨୫.୨ ଲକ୍ଷ ଗଣ୍ଠିଲି ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.