ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସମଲେଇଚୁଆଁ ଠାରେ ସମଗ୍ର ଶିକ୍ଷା ସୁବର୍ଣ୍ଣପୁର ଆନୁକୂଲ୍ୟରେ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ଡୁଙ୍ଗୁରିପାଲି ଦ୍ଵାରା ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ମେହେର ଯୋଗଦେଇଥିଲେ । ଏଥିରେ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ହାରାହାରି ୯୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତାଙ୍କ ଅଭିଭାବକଙ୍କ ସହିତ ଯୋଗଦେଇ ଭୁବନେଶ୍ୱର ସ୍ଥିତ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ସଂସ୍ଥା (ALIMCO)ର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଡାକ୍ତରୀ ପରୀକ୍ଷା କରାଇଥିଲେ । ତାଙ୍କୁ ପରବର୍ତ୍ତୀ ସମୟରେ ଉପଯୁକ୍ତ ସହାୟକ ଉପକରଣ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଡୁଙ୍ଗୁରିପାଲି ମାଧ୍ୟମରେ ଯୋଗାଇ ଦିଆଯିବା ପୁର୍ବରୁ ପରିକ୍ଷା ହୋଇ ମନୋନୀତ ହୋଇଥିବା ୧୯ ଜଣ ଶ୍ରବଣ ବାଧିତ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଜନ୍ତ୍ର, ୬ ଜଣ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କୁ ସ୍ଵତନ୍ତ୍ର ଚୌକି, ୪ ଜଣ ଶାରୀରିକ ଭିନ୍ନକ୍ଷମ ଶିଶୁଙ୍କୁ ଚକ ଚଳିତ ଚୌକି ଓ ରୋଲେଟର ଆଦି ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁ ଓ ସୀତାରାମ ପଧାନ ପରିଚାଳନା କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ସାହୁ ଲୋଚନ ସାହୁ, ଶିକ୍ଷକ ଅନିଲ ଭୋଇ, ମୃତ୍ୟୁଞ୍ଜୟ ଉଦରକୁଳିଆ, ମନୋଜ ପଧାନ, ଅଶ୍ଵିନି ପଧାନ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.