jittmm

ଛତ୍ରପୁର ପ୍ରତିଭା ଆବାସିକ ବିଦ୍ୟାଳୟର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତଥା ଯୁକ୍ତ ଦୁଇ କଳା ଓ ବିଜ୍ଞାନ ପରୀକ୍ଷା-୨୦୨୫ ଫଳାଫଳ ପ୍ରକାଶ ପାଇଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଥିବା ପ୍ରତିଭା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଆଶ୍ଚର୍ଯ୍ୟ ଜନକ ସଫଳତା ଲାଭ ହୋଇଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯାହା ଛତ୍ରପୁର ସହରରେ ୨୦୧୦ ମସିହାରେ ପ୍ରତିଷ୍ଠିତ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତୀତ୍ୱ ଅର୍ଜନ ବେଶ୍ ପ୍ରଶଂସନୀୟ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ବାର୍ତ୍ତା ଦେଇ ଅନୁଷ୍ଠାନ ପକ୍ଷରୁ ଗୁରୁବାର ସମ୍ବର୍ଦ୍ଧନା ସଭାକୁ ଆହ୍ୱାନ କରାଯାଇଥିଲା । ଗୁରୁବାର ଅନୁଷ୍ଠିତ ଅଭିଭାବକଙ୍କ ଗହଣରେ ଏକ ସ୍ୱତନ୍ତ୍ର ଭବ୍ୟ-ଆସରର ଅୟୋଜନ କରାଯାଇ କୃତ୍ତିତ୍ଵ ହାସଲ କରିଥିବା ସର୍ବାଧିକ ନମ୍ବର ରଖିଥିବା ୬ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ ଓ ସମ୍ୱର୍ଦ୍ଧିତ କରାଯାଇ ତାଙ୍କରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଚିନ୍ମୟ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ସହ ପୁରସ୍କାରରେ ସମ୍ମାନୀତ କରାଯାଇଛି । ବିଜ୍ଞାନ ବିଭାଗରେ ସର୍ବାଧିକ ନମ୍ବର ୫୫୪ ରଖି ଅମିତ୍ ପ୍ରଧାନ ଏ-୧ରେ ଟପର ହୋଇଛନ୍ତି । ସେହିପରି ପୂର୍ଣ୍ଣଚନ୍ଦ୍ର ପାହନ ଓ ରାହୁଲ ସ୍ୱାଇଁ ୫୫୨ ନମ୍ୱର ରଖି ଥିବା ବେଳେ ବନ୍ଦନା ଶୁଭଦର୍ଶନୀ ପଣ୍ଡା ୫୪୯ ନମ୍ୱର, ଶୁଭଶ୍ରୀ ଖୁଣ୍ଟିଆ ୫୪୮ଏବଂ ଦୀପକ ବିଷ୍ୱାଳ ୫୪୪ ନମ୍ୱର ରଖି କୃତ୍ତିତ୍ଵ ହାସଲ କରିଛନ୍ତି । ବାସ୍ତବିକ୍ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଳା ବିଭାଗରେ ସର୍ବମୋଟ ୮୯ ଜଣ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୮୧ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଳା ବିଭାଗରେ ପ୍ରଥମ ସ୍ଥାନରେ ୧୪ ଜଣ, ଦ୍ୱିତୀୟ ସ୍ଥାନରେ ୩୬ ଜଣ ତୃତୀୟ ସ୍ଥାନରେ ୩୦ ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବିଜ୍ଞାନ ବିଭାଗରେ ଅଧ୍ୟୟନ କରି ୧୨୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ୧୨୮ ଜଣ ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ଏ-୧ ରେ ସର୍ବମୋଟ ୬ଜଣ ତଥା ପ୍ରଥମ ସ୍ଥାନରେ ୧୦୨ ଜଣ, ଦ୍ୱିତୀୟ ସ୍ଥାନରେ ୧୯ ଜଣ ତୃତୀୟ ସ୍ଥାନରେ ୭ ଜଣ ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ଏହି ଶିକ୍ଷାନୁଷ୍ଠାନ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଥିବା ଦେଖାଦେଇଛି । ଏ ନେଇ ବିଭିନ୍ନ ମହଲରେ ଅନୁଷ୍ଠାନର ଉଦ୍ୟକ୍ତାଙ୍କୁ ସାଧାରଣରେ ସାଧୁବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.