‘ଇସକଫ’ ଭାରତୀୟ ସଂସ୍କୃତିର ରକ୍ଷାକବଚ ସଦୃଶ : ବରିଷ୍ଠ ଆଇନଜ୍ଞ ଗୋକୁଳ ଚନ୍ଦ୍ର ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ) ଭାରତୀୟ ସଂସ୍କୃତିର ରକ୍ଷାକବଚ ବୋଲି ନିକଟରେ ଇସକଫ ଜାତୀୟ ପରିଷଦର ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ଛତ୍ରପୁର ବରିଷ୍ଠ ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା ଆଞ୍ଚଳିକ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଛନ୍ତି । ରବିବାର ସନ୍ଧ୍ୟାରେ ଲକ୍ଷ୍ମଣଭବନ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ସାମ୍ପ୍ରତିକ ବିଶ୍ୱରେ ଦେଖାଦେଇଥିବା ପରମାଣୁ ଯୁଦ୍ଧର କଳାବାଦଲ ଏବଂ କେନ୍ଦ୍ର ସରକାରଙ୍କ ଭୁଲ ନୀତି ନିଷ୍ପତ୍ତି ଯୋଗୁଁ ଭାରତର ବିଭିନ୍ନତା ମଧ୍ୟରେ ଏକତା, ମୈତ୍ରୀ ଭାବ ଓ ସଂହତି ଆଜି ବିପନ୍ନ ହେବାକୁ ଯାଉଥିବା ସେ ସୂଚାଇଛନ୍ତି । ଇସକଫର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରି ଏହି ସଂଗଠନ ପ୍ରାକ୍ ସ୍ୱାଧୀନତା କାଳରୁ ଆଜି ପର୍ଯ୍ୟନ୍ତ ରଖି ଆସିଥିବା ଆନ୍ତଃରାଜ୍ୟ ବନ୍ଧୁତା ଏବଂ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାରି ରଖିଥିବା ଅହରହ ଉଦ୍ୟମ ତାହାର ଲୋକପ୍ରିୟତାକୁ ବହୁଗୁଣିତ କରିପାରିଛି । ସାମାଜିକ ଶାନ୍ତି ପ୍ରତିଷ୍ଠା ଓ ଭାଇଚାରା ବଜାୟ ରଖିବା ପାଇଁ ଇସକଫ ଭଳି ସାଂସ୍କୃତିକ ସଂଗଠନର ପ୍ରସାର ଆଜି ଅପରିହାର୍ଯ୍ୟ ମଧ୍ୟ ହୋଇପଡିଛି । ପ୍ରକାଶ ଥାଉକି, ଗତ ୧୦ ଏବଂ ୧୧ ତାରିଖ ଦୁଇ ଦିନ ଧରି କଟକ ବାରବାଟୀ ଷ୍ଟାଡିୟମରେ ଇସକଫ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବା ସହ ଏଥିରେ ଋଷିଆ, କ୍ୟୁବା, ଭିଏତନାମା ଭଳି ରାଷ୍ଟ୍ରମାନଙ୍କ ସହ ସଂଗଠନର ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ଆଲୋଚନା କରାଯାଇଥିଲା । ଏଥିରେ କ୍ୟୁବାର ରାଷ୍ଟ୍ରଦୂତଙ୍କ ସମେତ ଭାରତର ବିଭିନ୍ନ ରାଜ୍ୟରୁ ୨୦୦ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେଇଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ଜାତୀୟ ଉପସଭାପତି ଏବଂ ଦିଗପହଣ୍ଡିର ଆଇନଜୀବୀ ହରପ୍ରସାଦ ରଥଙ୍କୁ ଜାତୀୟ ପରିଷଦ ସଭ୍ୟ ଭାବେ ନିର୍ବାଚିତ କରାଯାଇଥିଲା । ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାରୁ ବିଦେଶୀ ନାହାକ, ପଞ୍ଚାନନ ସ୍ୱାଇଁ, ସୋମନାଥ ନାୟକ ଅଂଶଗ୍ରହଣ କରିଥିଲେ । ଏହି ପ୍ରେସ୍‌ ମିଟ ଇସକଫର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଆଇନଜୀବୀ ଡ଼ି. ଆଦିନାରାୟଣ ରେଡ୍ଡୀ ପ୍ରମୁଖ ବହୁ ଚିନ୍ତାଶୀଳ ନାଗରିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.