jayashree

ଛତ୍ରପୁର ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ରିଜର୍ଭ ପୋଲିସ୍ ପ୍ୟାରେଡ଼ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଓଡ଼ିଶାର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ରୂପେ ଯୋଗଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଗଞ୍ଜାମ ମାଟିର ବୀରସ୍ଵାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ଅସୀମ ସାହସ ଓ ସାଲିସ ବିହୀନ ସଂଗ୍ରାମକୁ ନମନ କରିଥିଲେ । ନିଜ ବକ୍ତବ୍ୟରେ କହିଥିଲେ ଯେ, ଭାରତ ଭଳି ଏତେ ବଡ ଦେଶକୁ ଏକ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ କରିବା ଏକ ବହୁତ ବଡ ଆହ୍ବାନ ଥିଲା । କିନ୍ତୁ ମହାନନାୟକ, ଜନନାୟକଙ୍କ ବିଜ୍ଞତା, ଜ୍ଞାନ ଓ ଅନୁଭୂତିକୁ ଆଧାର କରି ଅନେକ ତର୍କ-ବିତର୍କ, ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ଭାରତୀୟ ସମ୍ବିଧାନ ଡ଼ଃ.ବି.ଆର୍. ଆମ୍ବେଦକରଙ୍କ ନେତୃତ୍ୱରେ ଲେଖାଯାଇଥିଲା । ଆମ ସମ୍ବିଧାନ ପୃଥିବୀର ସର୍ବ ବୃହତ୍ ଲିଖିତ ସମ୍ବିଧାନ । କୋଟିକୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା, ଅଭିପ୍ସା ଓ ସ୍ବପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନ । ରାଷ୍ଟ୍ରର ରାଜନୈତିକ, ସାମାଜିକ ଓ ଅର୍ଥ ନୈତିକ ଚିତ୍ର ଏଥିରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି । ଦେଶର ଆଇନ ଖସଡା କହିଲେ ସମ୍ବିଧାନକୁ ହିଁ ବୁଝାଯାଏ । କେବଳ କଳେବର ଦୃଷ୍ଟିରୁ ନୁହେଁ ଆଭିମୁଖ୍ୟ ଦୃଷ୍ଟିରୁ ମଧ୍ୟ ଆମ ସମ୍ବିଧାନର ସ୍ଥାନ ପୃଥିବୀର ବହୁ ଦେଶର ସମ୍ବିଧାନଠାରୁ ଅନେକ ଉର୍ଦ୍ଧ୍ବରେ । ଏଥିରେ ଥିବା ମୌଳିକ ଅଧିକାର ଗୁଡିକ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ କରିପାରିଛି । ଆମକୁ ସ୍ୱାଧୀନତା ଏବଂ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରର ମର୍ଯ୍ୟାଦା ସହଜରେ ମିଳିନାହିଁ । ଏଥିପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବିସର୍ଜନ କରିବାକୁ ପଡିଛି । ଏହି ପବିତ୍ର ଦିବସରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭବାଇ ପଟେଲ, ଉତ୍କଳମଣୀ ଗୋପବନ୍ଧୁ ଦାସ, ଶହୀଦ୍ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ବାଘାଜତୀନ୍, କଳିଙ୍ଗର ବରପୁତ୍ର ବିଜୁପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସମ୍ବିଧାନ ଡ୍ରାଫ୍ଟିଙ୍ଗ କମିଟିର ଅଧ୍ୟକ୍ଷ ଡଃ. ଭୀମାରାଓ ଆମ୍ବେଦକରଙ୍କ ସମେତ ଡଃ. ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ଏନ୍. ଗୋପାଳ ସ୍ବାମୀ, କେ.ଏମ୍. ମୁନ୍ସି, ମୌଲାନା ଆବୁଲ କାଲାମ୍ ଆଜାଦ୍, ବିଶ୍ବନାଥ ଦାଶ ପ୍ରମୁଖ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ/ ସଦସ୍ୟାମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଓଡିଶା ତଥା ଗଞ୍ଜାମର ଅବଦାନ ଅତୁଳନୀୟ । ଗଞ୍ଜାମ ଜିଲ୍ଲାର ସଂଗ୍ରାମୀ ମାନଙ୍କ ଅସୀମ ତ୍ୟାଗ, ସାହସ ଏବଂ ସାଲିସ୍ ବିହୀନ ସଂଗ୍ରାମ ଆଜି ମଧ୍ୟ ଓଡିଶାବାସୀଙ୍କ ଭିତରେ ଶିହରଣ ସୃଷ୍ଟିକରେ । ଘୁମୁସର ବିଦ୍ରାହ, ବେଲଗୁଣ୍ଠା ଓ ପାରଳା ଖେମୁଣ୍ଡିରେ ସ୍ବାଧୀନତା ସଂଗ୍ରାମର ପଦଧ୍ବନୀ ଏବେ ମଧ୍ୟ ଇତିହାସରେ ଗୁଞ୍ଜରିତ ହେଉଛି । ଚକରା ବିଷୋୟୀ ଓ ଦୋରା ବିଷୋୟୀଙ୍କ ବୀରତ୍ବ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଗଞ୍ଜାମ ମାଟିର ଦିବାକର ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଭରତ ବେହେରା, ବୈକୁଣ୍ଠ ନାୟକ, ନିରଞ୍ଜନ ପଟ୍ଟନାୟକ, କିଶୋରମଣୀ ପଟ୍ଟନାୟକ, ଶଶୀଭୂଷଣ ରଥ, ଲିଙ୍ଗରାଜ ପାଣିଗ୍ରାହୀ, ବିଶ୍ବନାଥ ଦାଶ, ବାଞ୍ଛାନିଧି ପଟ୍ଟନାୟକ, ହରିହର ପଟ୍ଟନାୟକ, ଈଶ୍ବର ସାହୁ, କୁଞ୍ଜଲତା ଦେବୀ, ଘନଶ୍ୟାମ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ, ହରିହର ମର୍ଦ୍ଦରାଜ, ନନ୍ଦ କିଶୋର ମିଶ୍ର ପ୍ରମୁଖ ବୀର ସଂଗ୍ରାମୀଙ୍କୁ ଏହି ଅବସରରେ ଭକ୍ତିପୂତ ପ୍ରଣାମ ଜଣାଇଥିଲେ । ଗଞ୍ଜାମର ମାଟି ହେଉଛି କଳା, ସାହିତ୍ୟ ଓ ସଂସ୍କୃତିର ମାଟି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ କବି ଗୋପାଳ କୃଷ୍ଣ ବାସୁଦେବ ରଥ ଶର୍ମାଙ୍କ ପରି ସାରସ୍ୱତ ସାଧକଙ୍କୁ ଜନ୍ମ ଦେଇଛି ଏ ମାଟି । ଯେଉଁମାନେ ଓଡିଶା ସାହିତ୍ୟ ଓ ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ଗଞ୍ଜାମର ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀ, ଭୌରବୀ,ସିଦ୍ଧ ବିନାୟକ, ବୁଦ୍ଧଖୋଲ, ମହୁରୀକାଳୁଆ ଏବଂ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଗୋପାଳପୁର ଓ ସୁନାପୁର ସମୁଦ୍ର ବେଳାଭୂମି, ମଧୁରଜଳ ହ୍ରଦ ତାମ୍ପରାର ପ୍ରାକୃତିକ ସୌନ୍ଦର୍ୟ୍ୟ, ଋଷିକୂଲ୍ୟା ନଦୀ ମୁହାଣରେ ଅଲିଭ୍ ରିଡଲେ କଇଁଛଙ୍କ ସମୁହିକ ଅଣ୍ଡାଦାନ ଦେଶ ବିଦେଶରେ ପର୍ୟ୍ୟଟକ ମାନଙ୍କର ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି । ଆଜିର ଜିଲ୍ଲାସ୍ତରୀୟ ପ୍ୟାରେଡ୍‌ରେ ୨୪ ଟି ଦଳ ଓ ଶାରୀରିକ କ୍ରୀଡାରେ ୨ ଟି ଦଳ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ୬ଟି ବିଭାଗ ତରଫରୁ ଉନ୍ନୟନମୂଳକ କାର୍ଯ୍ୟର ପ୍ରଦର୍ଶନ ନିମନ୍ତେ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର ଅଫ୍ ପୋଲିସ୍ ଅମୂଲ୍ୟ ନାୟକ, ସର୍ଜେଣ୍ଟ ଅଫ୍ ପୋଲିସ୍ ବିବେକାନନ୍ଦ ନାୟକ ପ୍ୟାରେଡ଼ ପରିଚାଳନା କରିଥିଲେ । ଆର୍ମଡ୍ ପୋଲିସ୍ ରିଜର୍ଭ ପ୍ଲାଟୁନ କମାଣ୍ଡର କ୍ରିଷ୍ଣପଦ ହାଁସଦା ଦାୟିତ୍ୱ ତୁଲାଇଥିଲେ । ଏହି ସମାରୋହରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ । ଜିଲ୍ଲାସ୍ତରୀୟ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା କଣ୍ଟିଜେଣ୍ଟମାନଙ୍କ ମଧ୍ୟରୁ ଓ୍ବିନର୍ ଏବଂ ରନର୍‌ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମେମୋରିଆଲ୍ କପ୍ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.