ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସାରା ବିଶ୍ୱରେ ଆମେ ସମସ୍ତେ କରୋନାରେ ଭୀତତ୍ରସ୍ତ । ମାନବ ଜୀବନର ଦୈନନ୍ଦିନ କାର୍ଯ୍ୟକ୍ରମ ଯଥେଷ୍ଟ ପରିମାଣରେ ପ୍ରଭାବିତ । ଲକ୍ଷ୍ୟାଧିକ ବ୍ୟକ୍ତି ଆମ ଗହଣରେ ଆଉ ନାହାନ୍ତି । ଏଥିରେ ମର୍ମ୍ମାହତ । କିନ୍ତୁ , ଚିରାଚରିତ ଭାବରେ ସଡକ ଦୂର୍ଘଟଣାରେ କେତେ ଯେ ପ୍ରାଣ ଚାଲିଯାଉଛି ସେଥିପ୍ରତି ଆମେ କମ ସମ୍ବେଦନାଶୀଳ । ଏ କଥାକୁ ଆମେ ସଡକ ସପ୍ତାହ ବା ମାସ ପାଳନ ସମୟରେ ଆମେ ମନେ ପକାଇଥାଉ । ଏହି କ୍ରମରେ ସଡକ ଦୂର୍ଘଟଣାରୁ ମାନବ ଜୀବନକୁ ସୁରକ୍ଷିତ ରଖିବା ପ୍ରୟାସ କ୍ରମେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଠାରେ ଜୁନିଅର ରେଡକ୍ରସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ପାଳନ ହୋଇଯାଇଅଛି । ଏ ବର୍ଷର ସଡକ ସୁରକ୍ଷା ମାସ ପାଳନ ଅବସରରେ ସଡକ ସୁରକ୍ଷା, ଜୀବନ ରକ୍ଷା” ପ୍ରାସଙ୍ଗିକ ମନେହୁଏ । ଏହି ଉଦ୍ଦେଶ୍ୟରେ ରେଡକ୍ରସ କର୍ମୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଏବଂ ସ୍ଲୋଗାନ ଦେଇ ପଣ୍ଡକିଟାଲ ମୁଖ୍ୟ ରାସ୍ତାରେ ବିଭିନ୍ନ ବର୍ଗର ଯାତାୟତ କରୁଥିବା ପଥଚାରୀ, ଗାଡି ଡ୍ରାଇଭରମାନଙ୍କୁ ନିଜ ଜୀବନକୁ ସୁରକ୍ଷିତ କରି ସାବଧାନତାର ସହିତ ଗାଡି ଚଳାଇ ଯାତ୍ରା କରିବାକୁ ସଚେତନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଲ ବିହାରୀ ଦାଶ ପତାକା ପ୍ରଦର୍ଶନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ଡାକ୍ତର ବଳିଷ୍ଠ ପ୍ରଧାନ, ସିଆରସିସି ହାରାଧନ ବାରିକ, ଶାହାଜବାହାଲ ସ୍କୁଲର ପ୍ରଧାନ ଶିକ୍ଷକ ମେରୁଧର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବାଙ୍କିପାଳି ହାଇସ୍କୁଲର ଜୁନିଅର ରେଡକ୍ରସ ସାଧନ କର୍ମୀ ହୃଷିକେଶ ଡାଙ୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ବ୍ଲକରେ କାର୍ଯ୍ୟରତ ଥିବା ବିଭିନ୍ନ ସ୍କୁଲର ପରାମର୍ଶଦାତା ଆକୁନ୍ଦ ସାହୁ, ରମେଶ ପଧାନ, ସଂପଦ ଖମାରି, ସୁଶିଲ ସାହୁ, ହେମ ଶାଗର ବାଗ, ସଂଚିତ କୁମାର ବାଗ, ଗୋପେଶ ପଣ୍ଡା, ସମାଜସେବୀ ହଲଧର ମେହେର ଏବଂ ସୋନପୁରର ରେଡକ୍ରସ ସାଧନକର୍ମୀ ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଁଇ ଭିଡିଓ କନଫେରେନସିଂ ମାଧ୍ୟମରେ ନିଜର ଶୁଭେଚ୍ଚା ଜଣାଇଥିଲେ । ଶେଷରେ ବଡକର୍ଲ୍ଲେ ହାଇସ୍କୁଲର ପରାମର୍ଶଦାତା ରବିନ୍ଦ୍ରନାଥ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।