
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଯକ୍ଷ୍ମାରୋଗ ନିରାକରଣ ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ୱାସ୍ଥ୍ୟମିଶନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଏସ୍.ଏଚ.ଜି. ଗ୍ରୁପ, ବିଭିନ୍ନ ଆଞ୍ଚଳିକ ଏନ୍ଜିଓ, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ସଂଗଠନ ମାନେ ସକ୍ରୀୟ ଅଂଶଗ୍ରହଣ କରି ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇଆସୁଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସଦର ମହକୁମାରେ ମଧ୍ୟ ଯକ୍ଷ୍ମା ଅବା ଟି.ବି. ରୋଗର ଭୟାବହତା ଓ ନିରାକରଣ ଦିଗରେ ବ୍ୟାପକ ସଚେତନତା ଜାରୀ ରହିଛି । ଏହି ସଚେତନତା ଅପ୍ରିଲ-୧୪ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗେଦଲପଲ୍ଲୀ ଗ୍ରାମରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ନିରାକରଣ କମିଟି ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯକ୍ଷ୍ମା ନିରାକରଣ ସମ୍ପର୍କିତ ଏକ ସଚେତନତା ସଭା ଓ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଟ ଯକ୍ଷ୍ମା ପରିଦର୍ଶକ ପ୍ରଭାତ କୁମାର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସବିତା କୁମାରୀ ମିଶ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ରଞ୍ଜିତା ନାୟକ, ଯକ୍ଷ୍ମା ନିରାକରଣ ସ୍ବେଚ୍ଛାସେବୀ ସଂଗଠକ ମୁନା ବେହେରା, ସ୍ବେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୂରୀ ପ୍ରମୁଖ ଯୋଗଦେଇ ଯକ୍ଷ୍ମା ରୋଗର ପାଦୃଭାବ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରି ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ଯକ୍ଷ୍ମାରୋଗ / ଟି.ବି. ରୋଗ ହେଲେ ଛଅ ମାସ ଔଷଧ ଖାଇବା ସହ ତା’ସାଂଗକୁ ମାସକୁ ରୋଗୀ ପୃଷ୍ଟିକର ଖାଦ୍ୟଖାଇବା ନିମନ୍ତେ ପାଞ୍ଚଶହ ଟଙ୍କା ସରକାରୀ ସହାୟତା ଦିଆଯାଇଥାଏ ବୋଲି ଯକ୍ଷ୍ମା ପରିଦର୍ଶକ ଶ୍ରୀ ସାହୁ ଗ୍ରାମବାସୀଙ୍କ ଆଗରେ ସୂଚାଇଛନ୍ତି । ଗ୍ରାମରେ ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଘରେ କିଛି ଲୋକଙ୍କୁ କଫ ଡାବା ବଣ୍ଟନ ହୋଇଥିଲା । ଏହି ଅବସରରେ ଉକ୍ତ ଗାଁରେ ଏକ ସଚେତନତା ରାଲି କରାଯାଇଥିଲା ।