ମାନବବାଦୀ ଲେଖକ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାର ଓ ସ୍ଵସ୍ତି ସାହିତ୍ୟ ସଂସଦର ମିଳିତ ସହଯୋଗରେ ସତ୍ୟବାଦୀ ପ୍ରକୋଷ୍ଠ ଠାରେ ସଂସଦର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଆଲୋଚକ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ବିଶିଷ୍ଟ କବି ଡ. ଅଶ୍ଵିନୀ କୁମାର ରାୟ ମାନବବାଦୀ ଲେଖକ ଫକୀର ମୋହନ ଶୀର୍ଷକ ସଂପର୍କରେ ଆଲୋଚନା କରି ଫକୀର ମୋହନଙ୍କର ଗଳ୍ପ କବିତା ଓ ଉପନ୍ୟାସର ଚରିତ୍ର ଗୁଡିକରେ କିପରି ମାନବବାଦର ସ୍ଵର ପ୍ରତିଫଳିତ ହୋଇଛି ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଗୋପବନ୍ଧୁ ପାଠାଗାରର ସଭାପତି ନବଘନ ସାହୁ ସାହିତ୍ୟକୁ ବଞ୍ଚାଇ ରଖିବା ପାଇଁ ଆହୁରି ଅଧିକ ଉଦ୍ୟମ କରିବାପାଇଁ ପ୍ରେରଣା ଦେଇଥିଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଗାଳ୍ପିକା ଅଧ୍ୟାପିକା ଶ୍ରୀମତୀ ପ୍ରଣତି ବେହେରା ପାଉଣା ଶୀର୍ଷକ ନାମକ ଏକ ଗଳ୍ପ ପାଠ କରିଥିଲେ ଏବଂ ସହରର ବିଶିଷ୍ଟ କବି ବିଜୟ ରାୟ, ତ୍ରିନାଥ ସିଂ, ବ୍ରଜେନ୍ଦ୍ର ଦାଶ, ସ୍ମିତା ମିଶ୍ର, ବବିତା ମହାଳିକ ଅର୍ଚ୍ଚନା ପାତ୍ର ଓ ବୀନତା ମହାନ୍ତ ସ୍ୱରଚିତ କବିତା ପାଠ କରିଥିଲେ । ସ୍ୱସ୍ତିର ଉପସଭାପତି ରାଜକୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହ ସାହିତ୍ୟ ସମ୍ପାଦକ ଇଂ. ଆଶୋକ କୁମାର ପଟ୍ଟନାୟକ କବିତା ଗୁଡ଼ିକର ସଂଯୋଜନା କରିଥିଲେ । ଉପସଂହାରରେ ସାହିତ୍ୟିକା ଶର୍ମିଷ୍ଠା କବି ଶତପଥି ଗଳ୍ପ ଓ କବିତା ଗୁଡ଼ିକ ଉପରେ ପାଠକୀୟ ମନ୍ତବ୍ୟ ରଖିଥିଲେ । ଶେଷରେ କୋଷାଧ୍ୟକ୍ଷ ବିଭୂତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜୀବ ପାଣି, ଗିରିଜା ଶଙ୍କର ଗୋସ୍ୱାମୀ, ଲକ୍ଷ୍ମଣନାଥ ଦାସ, ହରିହର ଶତପଥୀ, ନୃସିଂହ ଚରଣ ବିଶ୍ଵାଳ, ବିଜୟିନୀ ଜେନା, ରଶ୍ମି ସାହୁ, ସ୍ନେହଲତା ପଟ୍ଟନାୟକ, ମୀନକେତନ ପଶାୟତ, କାଶୀନାଥ ନନ୍ଦି, ଡ.ସୁଶାନ୍ତ ପାଣି, ବ୍ରହ୍ମାନନ୍ଦ ପାଢ଼ୀ, ଭଜେନ୍ଦ୍ର ସାହୁ, ମାନସୀ ମହାପାତ୍ର ଓ ଅନ୍ୟ ସାହିତ୍ୟ ପ୍ରେମିମାନେ ଉପସ୍ଥିତ ରହି ସଭାଟିକୁ ସଫଳ କରିଥିଲେ ।

Leave A Reply

Your email address will not be published.