ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛେତଗାଁ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମୀନକେତନ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ପାଇଁ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାଜକୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ନନ୍ଦଲାଲ ନାୟକ, ଭୁବନେଶ୍ୱରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀଷ୍ମଦେବ ପ୍ରଧାନ, ସିଆର୍ସିସି ଚିତ୍ର ବିଶ୍ୱାଳ ଯୋଗ ଦେଇ ଅବସର ନେଇଥିବା ଶିକ୍ଷକ ବିନା ପେନ୍ସନ୍ରେ ଅବସର ନେଉଥିବାରୁ ସରକାରଙ୍କ ଏତାଦୃଶ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଶିକ୍ଷକ ଶ୍ରୀ ସାହୁ ଦୀର୍ଘ ୩୦ ବର୍ଷ ଚାକିରୀ କଲାପରେ ମଧ୍ୟ ବିନା ପେନ୍ସନ୍ରେ ଅବସର ନେଉଥିବାରୁ ଦୁଃଖ ପ୍ରକାଶ କରି ନିଜ ବକ୍ତବ୍ୟ ଦେଇଥିଲେ । ପରିଚାଳନା କମିଟି ସଦସ୍ୟ ସଦସ୍ୟା, ଅନେକ ପୁରାତନ ଛାତ୍ରଛାତ୍ରୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ମହାଦେବ ବେହେରା, ଗୋକୁଳାନନ୍ଦ କଲେତ, ସ୍କୁଲର ପ୍ରତିଷ୍ଠାତା ସଦସ୍ୟ ଯଦୁମଣି ଦଣ୍ଡସେନା, ଯଦୁମଣି ଭୋଇ ପ୍ରମୁଖ ବିଦାୟୀ ଶିକ୍ଷକଙ୍କ ଛାତ୍ର ବତ୍ସଳ, ଉଚ୍ଚକୋଟୀର ଶିକ୍ଷାଦାନ ଆଦି ବିଷୟରେ ଆଲୋଚନା କରିଥିଲେ । ଶିକ୍ଷକ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ବଳିରାମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।