ବଲାଙ୍ଗିର, (କେପିଏନଏସ) : ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ କଟକ ଜିଲ୍ଲା ଚୌଦ୍ୱାରର ନୂଆଁସାହି, କପଳେଶ୍ୱର ବାସିନ୍ଦା ୬୫ ବର୍ଷୀୟ ସତ୍ୟବାନ ଦାଶ ଚାକିରି ପରେ ଅବସର ନେଇ ଏକାକି ଭଡା ଘରେ ରହୁଥିଲେ । ସନ୍ତାନ ଅଛନ୍ତି କିନ୍ତୁ କେହି ପଚାରୁ ନ ଥିଲେ । ବୃଦ୍ଧ ବୟସରେ ତାଙ୍କ ସେବା ଯତ୍ନ କରିବା ପାଇଁ ପାଖରେ କେହି ନ ଥିଲେ । ଶୋଇବା ଅବସ୍ଥାରେ କେତେବେଳେ ଯେ, ତାଙ୍କର ମୃତ୍ୟୁବରଣ ଘଟି ଯାଇଥିଲା ହେଲେ ଦେଖିବ ବା କିଏ । ଜଣେ ସହୃଦୟ ବ୍ୟକ୍ତି କୌଣସି ମତେ ଖବର ପାଇ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଭଡା ଘରେ ଯାଇ ପହଞ୍ଚିଲା ସମୟରେ ଅସହାୟ ଭାବରେ ଶବଟି ପଡିରହି କାଠ ପାଲଟି ଯାଇଥିଲା । ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କଲା ପରେ ବ୍ୟକ୍ତିଙ୍କର ପରିବାର ବର୍ଗଙ୍କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେମାନେ ନିରୁତ୍ତର ଥିଲେ । ପରେ ତାଙ୍କର ସହମତି ନେଇ ବିଭୁତିପଡା ଶ୍ମଶାନରେ ସସମ୍ମାନରେ ଶବଟିକୁ ଅନ୍ତିମ ସତ୍କାର କରାଯାଇଥିଲା ।