ତାମିଲନାଡୁରେ ଦାଦନ ଖଟୁଥିବା ଶ୍ରମିକଙ୍କ ମୃତ୍ୟୁ : ନିଜ ଗାଁକୁ ଶବ ଆସିବା ଚିନ୍ତାରେ ପରିବାର ଲୋକେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତର ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି । ଏଭଳି ଘଟଣା ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ ରଘୁନାଥ ନାୟକ ଓରଫ ଦାସିଆ । ସୂଚନାନୁଯାୟୀ, ଗ୍ରୀନବାଡିର ରଘୁନାଥ ନିଜ ପରିବାର ପ୍ରତିପୋଷଣ ହେବା ପାଇଁ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ରହି ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ତେବେ ଗତ ସପ୍ତାହରେ ସେ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ତାଙ୍କ ମୁଣ୍ଡକୁ ଶକ୍ତ ଧକ୍କା ଲାଗିଥିବାରୁ ସେ କୋମାକୁ ଚାଲିଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ବର୍ତ୍ତମାନ ସେଠାରୁ ତାଙ୍କ ଗ୍ରାମକୁ କିଭଳି ମୃତଦେହ ଅଣାଯିବ ସେନେଇ ପରିବାର ଲୋକ ଚିନ୍ତାରେ ଅଛନ୍ତି । ମୃତ ରଘୁନାଥଙ୍କ ପରିବାରରେ ବିଧବା ମା’ଙ୍କ ସହ ତାଙ୍କ ପତ୍ନୀ ଜନପ୍ରିୟା ମଲିକ ଏବଂ ଦୁଇ ବର୍ଷର ପୁତ୍ର ସନ୍ତାନ ରହିଛନ୍ତି । ପ୍ରକାଶଯୋଗ୍ୟ, ରଘୁନାଥଙ୍କ ବାପା କାଳିଦାସ ନାୟକଙ୍କ ଗତ ୩ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ଏଥିଯୋଗୁ ଘରର ଆର୍ଥିକ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା । ତେଣୁ ରଘୁନାଥ ରୋଜଗାର କରିବାକୁ ରାଜ୍ୟ ବାହାରକୁ ଯିବାକୁ ନିଷ୍ପତ୍ତି ନେଇ ତାମିଲନାଡୁ ଯାଇ ସେଠାରେ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ଗାଁରେ ବିଧବା ମା’ଜାନକୀ ନାୟକ ପୁଅର ମରଣ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତାଙ୍କ ଆଖିର ଲୁହ ଶୁଖୁନଥିବା ବେଳେ ବନ୍ଧୁ, ସମ୍ପର୍କୀୟ, ସାହି ବାସିନ୍ଦା ସମସ୍ତେ ମୃତ ରଘୁନାଥଙ୍କ ଗ୍ରୀନବାଡି ବାସଭାବନରେ ଭିଡ଼ ଜମାଇଥିବା ଦେଖାଯାଇଛି ।

jittmm
Leave A Reply

Your email address will not be published.